ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ, ୫ ରନରେ ହାରିଲା ବାଂଲାଦେଶ

ସୂର୍ଯ୍ୟକୁମାର ନମ୍ବର ଏକ ବ୍ୟାଟସମ୍ୟାନ

ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ, ୫ ରନରେ ହାରିଲା ବାଂଲାଦେଶ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍‌ ଇଣ୍ଡିଆ । ଓପନର୍‌ ଲୋକେସ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୮୪ ରନ ।

୧୮୫ ରନର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ବାଂଲାଦେଶ । ବର୍ଷା ବାଧାପ୍ରାନ୍ତ ଏହି ମ୍ୟାଚ୍‌ ୧୬ ଓଭର ବିଶିଷ୍ଟ ହୋଇଥିଲା ଏବଂ ବାଂଲାଦେଶକୁ ୧୫୧ରନର ଟାର୍ଗେଟ୍‌ ମିଳିଥିଲା । କିନ୍ତୁ ଦଳ ୬ ଓ୍ବିକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ ହୋଇଛି । ସେପଟେ ଆଜି ଆଇସିସି ପକ୍ଷରୁ ଘୋଷିତ ନୂତନ ତାଲିକା ଅନୁସାରେ ସୂର୍ଯ୍ୟକୁମାର ବିଶ୍ବର ନମ୍ବର ଓ୍ବାନ ବ୍ୟାସଟମ୍ୟାନ ତାଲିକାରେ ରହିଛନ୍ତି । ପୂର୍ବରୁ ସେ ଦୁଇ ନମ୍ବର ସ୍ଥାନରେ ଥିଲେ । ପାକିସ୍ତାନର ମହମ୍ମଦ ରିଜଓ୍ବାନ ଏକ ନମ୍ବର ସ୍ଥାନରେ ଥିଲେ ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୨ଟି ଓ୍ବିକେଟ ନେଇଥିବା ବେଳେ, ହାର୍ଦ୍ଧିକ ପାଣ୍ଡ୍ୟା ୨ ଓ୍ବିକେଟ, ମହମ୍ମଦ ସାମି ୧ ଓ୍ବିକେଟ୍ ନେଇଥିଲେ । ଲୋକେସ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୮୪ ରନ କରିଥିଲା ଟିମ୍‌ ଇଣ୍ଡିଆ । ଦର୍ଶନୀୟ ଅର୍ଦ୍ଧଶତକ ସହିତ ଫର୍ମକୁ ଫେରିଛନ୍ତି ଓପନର୍‌ ଲୋକେସ ରାହୁଲ । ଲୋକେସ ରାହୁଲ ୩୨ ବଲରୁ ୩ଟି ଚୌକା ଏବଂ ୪ଟି ଛକା ସହାୟତାରେ ୫୦ ରନ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ଫେଲ୍‌ ମାରିଥିଲେ। ରୋହିତ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ସେହିଭଳି ସୂର୍ଯ୍ୟକୁମାର ଯାଦବ ୧୬ ବଲରୁ ବିସ୍ଫୋରକ ୩୦ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ହାର୍ଦ୍ଧିକ ପାଣ୍ଡ୍ୟା ୫ରନ କରିଥିବା ବେଳେ ଦିନେଶ କାର୍ତ୍ତିକ ୭ରନ କରି ରନଆଉଟ, ଅକ୍ଷର ପଟେଲ ୭ରନ କରି ଆଉଟ ହୋଇଥିଲେ । ଶେଷ ପର୍ଯ୍ୟନ୍ତ ରହି ୪୪ ବଲରୁ ୮ ଚୌକା ଓ ୧ ଛକା ସହାୟତାରେ ୬୪ ରନ କରି ନଟଆଉଟ ଥିଲେ ବିରାଟ। ସେହିଭଳି ଅଶ୍ବିନ ୧୩ ରନ କରି ଅପରାଜିତ ଥିଲେ।

ବାଂଲାଦେଶ ପକ୍ଷରୁ ଓପନର ନଜମୁଲ ହୋସେନ ସାନ୍ତୋ ୨୧ ରନ କରି ଆଉଟ ହୋଇଥିବା ବେଳେ ଲିଟନ୍‌ ଦାସ ୬୦ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ସାକିବ ଅଲ ହାସନ୍‌ ୧୩ରନ, ଆଫିଫ୍‌ ହୋସେନ ୩ରନ କରି ଆଉଟ ହୋଇଛନ୍ତି ।ସେହିଭଳି ୟାସିର୍‌ ଅଲୀ ୧ ରନ କରି ଆଉଟ ହୋଇଥିବା ବେଳେ ମୋସାଡିକ୍‌ ହୋସେନ୍‌ ୬ରନ କରି ପ୍ୟାଭିଲିୟନ ଫେରିଛନ୍ତି । ନୁରୁଲ ହାସନ ୨୫ ରନ ଏବଂ ତସ୍କିନ୍‌ ଅହମଦ ୧୨ରନ କରି ଅପରାଜିତ ଥିଲେ ।