ଭୁବନେଶ୍ୱରରେ ମହିଳାଙ୍କୁ ଗଣଦୁଷ୍କର୍ମ,ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ! ଘରେ ଥଇଥାନ କରାଇ ଦେବାକୁ ଡାକି ନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାକୁ ନେଇ ପୀଡ଼ିତା ଅଭିଯୋଗ କରିବା ପରେ କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଉକ୍ତ ମହିଳା କୌଣସି କାମରେ କଟକରୁ ଭୁବନେଶ୍ୱର ଆସିଥିଲେ।

କାମ ସରୁ ସରୁ ରାତି ହୋଇଯାଇଥିଲା। ଆଉ ଘରକୁ ଫେରିପାରୁନଥିଲେ। ତେଣୁ ରାମମନ୍ଦିର ଛକରେ ବସି ଥିଲେ। ଏହି ସମୟରେ ଅନୁଗୋଳ ଓ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ଦୁଇ ଜଣ ଯୁବକ ବାହାନା କରି ତାଙ୍କ ସହିତ କଥା ହୋଇଥିଲେ। ଆଉ ସେହି ସମୟରେ ନିଜ ଅସହାୟତା ପ୍ରକାଶ କରିଥିଲେ ସ୍ମିତା। ଏହା ପରେ ଯୁବକ ଦୁଇ ଜଣ ତାଙ୍କ ରହିବାର ବ୍ୟବସ୍ଥା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ରାତି ବଢ଼ୁଥିବାରୁ ସ୍ମିତା ସେମାନଙ୍କ ସହିତ ଚାଲି ଯାଇଥିଲେ। ହେଲେ ଯୁବକ ଦୁଇ ଜଣ ତାଙ୍କୁ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଦୁଇ ବଳାତ୍କାରୀ ସେଠାରୁ ଚମ୍ପଟ ମାରିଥିଲେ। ଆଜି ସ୍ମିତା ଏନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।