ଆଜିଠାରୁ ଧାମନଗରରେ ହେଭିୱେଟଙ୍କ ପ୍ରଚାର

ଧାମନଗର: ଧାମନଗର ଉପନିର୍ବାଚନରେ କିଏ ମାରିବ ବାଜି ତାହା ଆଉ ଏକ ସପ୍ତାହ ପରେ ଜଣାପଡିବ । ଶେଷ ସପ୍ତାହରେ ପ୍ରଚାର ପାଇଁ ୩ ଦଳ ଏବେ କସରତ କରୁଛନ୍ତି । ଧାମନଗର ଉପନିର୍ବାଚନରେ ବିଜେପି ଏବଂ ବିଜେହି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚା ହେଉଛି । ଦୀପାବଳି ପର ଏବେ ନେତା ଓ କାର୍ଯ୍ୟକର୍ତ୍ତାମାନେ ପ୍ରଚାରରେ ଲାଗିପଡିଛନ୍ତି । ବିଜେପିର ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯାଉଥିବାରୁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ୨୭ ଓ ୨୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗରରେ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିବେ ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସ ଦଳର ପ୍ରାର୍ଥୀ ବାବା ହରେକୃଷ୍ଣଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ ପ୍ରଚାରରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ତାରା ବାହିନୀପତି ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏବେ ଧାମନଗରରେ ପ୍ରଚାର କାର୍ଯ୍ୟରେ ଲାଗିଲେଣି । ସେପଟେ ବିଜେଡି ପ୍ରାର୍ଥ ଅବନ୍ତି ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ଧାମନଗରରେ ବିଜେଡିର ମନ୍ତ୍ରୀ ନେତା, ବିଧାୟକ ଡେରା ପକାଇଛନ୍ତି । ଏଭଳି ସମୟରେ ପ୍ରଚାର ଜୋରସୋର ହେଉଥିବା ଦେଖିବାକୁ ମିଳିଛି ।