ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ

ଓଡ଼ିଶାର ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କବି ଓ ଲେଖକ ଉତ୍କଳମଣି ଗୋପବନ୍ଧୁ ଦାସ । ଆଧୁନିକ ଯୁଗର ପଞ୍ଚସଖାଙ୍କ ମଧ୍ୟରେ ସେ ଅନ୍ୟତମ । ସେ ଦୈନିକ ଓଡ଼ିଆ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ । ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ପୀଡ଼ିତଙ୍କୁ ଉପଷମ ସାମଗ୍ରୀ ବାଣ୍ଟୁଥିଲେ । ପୁରୀରେ ହଇଜା ରୋଗରେ ପୀଡ଼ିତ ଲୋକଙ୍କ ସେବା ପାଇଁ ସେ ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ । ଏହି ସଂଗଠନର ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କରୁଥିଲେ । ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଅନେକ ଓଡ଼ିଆ ନେତାଙ୍କ ସହ ମିଶି ଗୋପବନ୍ଧୁ ଆନ୍ଦୋଳନ କରିଥିଲେ ।

ଦେଶସେବାରେ ଉଲ୍ଲେଖଯୋଗ୍ୟ ଅବଦାନ ଲାଗି ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ କରାଯାଇଥିଲା । ୧୯୨୧ ମସିହାରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ୧୮୭୭, ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଗୋପବନ୍ଧୁ ଜନ୍ମଗ୍ରହଣ କରିଥିଲେ ।