ଭିଡ଼ ସମ୍ଭାଳିବ ଭ୍ରାମ୍ୟମାଣ ଟ୍ରାଫିକ୍ ସିଗ୍ନାଲ
ପର୍ବପର୍ବାଣୀ, ବଡ଼ ସମାବେଶ, କିଛି ଅଘୋଷିତ ଭିଡ଼ କିମ୍ବା କୌଣସି ଇଭେଣ୍ଟରେ ଟ୍ରାଫିକ୍ ପରିଚାଳନା ପୁଲିସ ପାଇଁ କାଠିକର ପାଠ । ସେଠାରେ ସ୍ଥାୟୀ ଟ୍ରାଫିକ୍ ସିଗନାଲ ନ ଥିଲେ, ଗାଡି଼ ମଟର ଅସମ୍ଭାଳ ଜାମ ହେବ । ଏଭଳି ପରିସ୍ଥିତିରେ ଅସଜଡ଼ା ଟ୍ରାଫିକ୍କୁ ସଜାଡି଼ବ ଭ୍ରାମ୍ୟମାଣ ଟ୍ରାଫିକ୍ ସିଗ୍ନାଲ୍ (ଟ୍ରଲି ବେସଡ୍ ପୋର୍ଟେବୁଲ ୱେୟାରଲେସ୍ ଟ୍ରାଫିକ୍ ସିଗନାଲ୍) । ସ୍ଥାୟୀ ଖୁଣ୍ଟ ବିନା ଯେ କୌଣସିଠାରେ ଏହି ସିଗ୍ନାଲ ଟ୍ରାଫିକ୍ ପରିଚାଳନା କରିବ । କମିଶନରେଟ୍ ପୁଲିସ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛି । ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ସହ ଏନେଇ ଆଲୋଚନା ସରିଛି । ଖୁବ୍ଶୀଘ୍ର ଏଭଳି ଟ୍ରାଫିକ୍ ସିଗନାଲ୍ ଭୁବନେଶ୍ୱର ରାସ୍ତାରେ ଦେଖିବାକୁ ମିଳିବ । ଏଭଳି ଭ୍ରାମ୍ୟମାଣ ଟ୍ରାଫିକ୍ ସିଗ୍ନାଲ ଦେଶରେ ଅନ୍ୟତ୍ର ନାହିଁ । ଏହି ସିଗ୍ନାଲ୍ ଲାଗିଲେ, ଭୁବନେଶ୍ୱର ସାରା ଦେଶରେ ପ୍ରଥମ ସହର ହେବ ।
ଏହି ସିଗ୍ନାଲ୍ ବ୍ୟବହାର ପାଇଁ କୌଣସି ତାର (କେବୁଲ) ଦରକାର ନାହିଁ । ରିମୋଟ ଦ୍ୱାରା ଏହି ଯନ୍ତ୍ରକୁ ବ୍ୟବହାର କରାଯାଇ ପାରିବ । ଯେକୌଣସିଠାରେ ରହି ଯନ୍ତ୍ରରେ ସିଗ୍ନାଲ ବଦଳା ଯାଇପାରିବ । ଏହାକୁ ଲଗାଇବା ପାଇଁ କୌଣସି ଟ୍ରାଫିକ୍ ଛକ ଦରକାର ନାହିଁ । ସ୍ଥାୟୀ ଖୁଣ୍ଟର ଆବଶ୍ୟକ ନାହିଁ । ଏହା ଆଡପ୍ଟିଭ୍ ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ (ଏଟିସିଏସ୍) ଦ୍ୱାରା ପରିଚାଳିତ । ବଡ଼ କଥା ହେଲା, ଏହି ଯନ୍ତ୍ରଟି ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତି (ସୋଲାର) ଦ୍ୱାରା ଚାଲିବ ।