ଆଜି ତୃତୀୟ ଟ୍ବେଣ୍ଟି-୨୦
ଇନ୍ଦୋର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଟ୍ବେଣ୍ଟି-୨୦ । ଦୁଇଟି ମ୍ୟାଚ ପରାଜୟ ପରେ ଆଜିର ମ୍ୟାଚ ବିଜୟ ପାଇଁ ଚାହିଁବ ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛନ୍ତି ଏହାର ଅଧିନାୟକ ତେମ୍ବା ବାଭୁମା। ଅଦ୍ୟାବଧି ୨ଟି ମ୍ୟାଚ୍ରେ ବାଭୁମା ୧୧ଟି ବଲ୍ ଖେଳି ଖାତା ଖୋଲି ପାରିନାହାନ୍ତି। ଆଜି ଉଭୟ ଦଳ ରନ୍ର ପିଛା କରିବାକୁ ଚାହିଁବେ। ଗୁରୁବାର ରୋହିତ ଶର୍ମାଙ୍କ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ। ୧୨ ମାସ ତଳେ ୟୁଏଇରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ଭାରତ ଆଗୁଆ ବିଦାୟ ନେବାର ଲଜ୍ଜା ପାଇଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ଏକ ବିଶ୍ବକପ୍ ଖେଳିବାକୁ ଯାଉଥିବାରୁ ଏଥର ବଡ଼ ଆଶା ରହିଛି। ବିରାଟ କୋହଲି ମ୍ୟାଚ୍ ନ ଖେଳି ବିଶ୍ରାମ ନେଇଛନ୍ତି।
ତାଙ୍କ ଅନୁପସ୍ଥିତିରେ ମଙ୍ଗଳବାର ଶ୍ରେୟସ ଆୟର ଖେଳିବା ସମ୍ଭାବନା ରହିଛି। ପନ୍ତ୍ ଙ୍କୁ ଆଜି ବ୍ୟାଟିଂ କରିବାର ସୁଯୋଗ ମିଳିପାରେ । ସେ ଏହି ଶୃଙ୍ଖଳାରେ ବ୍ୟାଟିଂ ସୁଯୋଗ ପାଇନାହାନ୍ତି। ଯଶପ୍ରୀତ୍ ବୁମରାଙ୍କ ଅନୁପସ୍ଥିତି କିନ୍ତୁ ଭାରତର ବୋଲିଂ ଚିନ୍ତା ବଢ଼ାଇ ଦେଇଛି। ବୁମରାଙ୍କ ଅନୁପସ୍ଥିତିରେ ହୋଲ୍କର ଷ୍ଟାଡିୟମ୍ରେ ମହମ୍ମଦ ସିରାଜଙ୍କୁ ମଧ୍ୟ ମ୍ୟାଚ୍ ମିଳିବା ସମ୍ଭାବନା ରହିଛି। କୈାଣସି ବୋଲର ଏବେ ଫର୍ମରେ ନାହାଁନ୍ତି ।