ପୁରୀ ଧାମରେ ଦେଶର ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ ହେବ
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କରିବେ ।
ଉଜ୍ଜୟିନୀ ସ୍ଥିତ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ବ୍ୟତିତ ବାହାରେ ପାଞ୍ଚଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଯୋଜନା କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ପୂର୍ବରେ ଶ୍ରୀଜଗନ୍ନାଥ ଧାମ ପୁରୀ ସ୍ଥିତ ଶ୍ରୀସଦାଶିବ କ୍ୟାମ୍ପସରେ ସାରା ଦେଶରେ ଦ୍ୱିତୀୟ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କରକମଳରେ କରାଯିବ । ଆଗାମୀ ଦିନରେ ଅନ୍ୟ ତିନୋଟି ଧାମ ସମେତ ଉତ୍ତର-ପୂର୍ବ ରାଜ୍ୟରେ ଗୋଟିଏ ଲେଖାଁଏ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ ପ୍ରତିଷ୍ଠା କରାଯିବ । ଉତ୍ତରାଖଣ୍ଡର ବଦ୍ରିନାଥ, କର୍ଣ୍ଣାଟକର ଶୃଙ୍ଗେରୀ, ଗୁଜୁରାଟର ଦ୍ୱାରକା ଏବଂ ଆସାମର ଗୌହ୍ୱାଟିରେ ଏଭଳି ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି ।
ବର୍ଷ ୨୦୨୨-୨୩ ଶିକ୍ଷା ବର୍ଷରେ ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ପ୍ରାରମ୍ଭ ହେବାକୁ ଯାଉଥିବା ବେଦ ବିଦ୍ୟାଳୟରେ ବେଦ ଭୂଷଣ ଚତୁର୍ଥ(ନବମ ଶ୍ରେଣୀ) ଏବଂ ବେଦ ଭୂଷଣ ପଞ୍ଚମ(ଦଶମ ଶ୍ରେଣୀ) ତଥା ବେଦ ବିଭୂଷଣ ପ୍ରଥମ(ଏକାଦଶ ଶ୍ରେଣୀ) ଓ ବେଦ ବିଭୂଷଣ ଦ୍ୱିତୀୟ (ଦ୍ୱାଦଶ ଶ୍ରେଣୀ)ରେ ଯୋଗ୍ୟତାକୁ ଆଧାର କରି ପ୍ରବେଶ ଦିଆଯିବ । ଛାତ୍ରମାନଙ୍କର ଆବାସ ଓ ଭୋଜନର ବ୍ୟବସ୍ଥା ଛାତ୍ରାବାସରେ ନିଃଶୁଳ୍କ ରହିବ । ଏହି ଆଦର୍ଶ ବେଦ ବିଦ୍ୟାଳୟରେ ବୈଦିକ ସଂସ୍କୃତ ଏବଂ ଜ୍ଞାନର ଅନୁରୂପ ଛାତ୍ର ମାନଙ୍କର ନିର୍ଦ୍ଧାରିତ ପାରମ୍ପରିକ ବେଶଭୂଷା-ପରିଧାନ ଏବଂ ଉଚ୍ଚ ଅନୁଶାସନରେ ରହି ଅଧ୍ୟୟନ କରିବେ ।
ଛାତ୍ର ମାନଙ୍କୁ ବେଦ ଅଭ୍ୟାସ ସହିତ ସଂସ୍କୃତ, ଯୋଗ, ବିଜ୍ଞାନ, ଗଣିତ, ବୈଦିକ ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ ଭାଷା, କମ୍ପ୍ୟୁଟର, କୃଷି ବିଦ୍ୟା ଭଳି ବିଷୟରେ ଅଧ୍ୟୟନ ଅଭ୍ୟାସ କରାଯିବ । ଏହା ସହ କୌଶଳ ଉପରେ ଆଧାରିତ ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି । ଅନୁରୂପ ଭାବରେ ପ୍ରାରମ୍ଭରେ ଛାତ୍ରମାନେ ଋଗ ବେଦ, ଯଜୁର୍ବେଦ, ସାମ ବେଦ ଓ ଅଥର୍ବବେଦର ଗୋଟିଏ ଗୋଟିଏ ଶାଖାରେ ଛାତ୍ରମାନଙ୍କର ଉପଲବ୍ଧତା ଆଧାରରେ ପ୍ରବେଶ ଦିଆଯିବ ।
ପ୍ରତିଷ୍ଠାନରେ ରହି ଆଧ୍ୟାତ୍ମିକ ଜ୍ଞାନ ଅର୍ଜିତ କରିଥିବା ଛାତ୍ରମାନେ କେବଳ ଭାରତବର୍ଷରେ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିଜ ବୈଦିକ ବାଙ୍ଗମୟର ସମଗ୍ର ଶିକ୍ଷାକୁ ହୃଦୟଙ୍ଗମ କରି ସମଗ୍ର ଜ୍ଞାନରାଶିକୁ ସମଗ୍ର ବିଶ୍ୱରେ ଏହି ଜ୍ଞାନ ପ୍ରସାରିତ କରିବେ । ଭାରତକୁ ବିଶ୍ୱଗୁରୁ ପଦରେ ପ୍ରତିଷ୍ଠିତ କରିପାରିବେ । ବେଦର ପ୍ରତିଷ୍ଠାରେ ଭାରତରେ ଉଚ୍ଚତର ଜ୍ଞାନ ପରମ୍ପରା ସହିତ ଭାରତର ଉଚ୍ଚତର ମୂଲ୍ୟବୋଧ ଓ ଜୀବନର ବିକାଶ ହୋଇପାରିବ । ସମସ୍ତ ବେଦ ଗୁଡ଼ିକର ଉଚ୍ଚ ଅଧ୍ୟୟନ, ଭାରତୀୟ ଜ୍ଞାନ ପ୍ରଣାଳୀ, ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦କୁ ଆଗେଇ ନେବା ଦିଗରେ ଓଡ଼ିଶା ପାଇଁ ଆସନ୍ତାକଲି ଏକ ମହତ୍ୱପୂର୍ଣ୍ଣ ଦିନ ।
ଏହି କ୍ୟାମ୍ପସ ପରିସରରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଉଦଘାଟନ ସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନା ଗୁଡ଼ିକର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।