ଆଜିଠୁ ଭାରତରେ ଆରମ୍ଭ ହେଲା ୫-ଜି ଯୁଗ
ଆଜି ଠାରୁ ଭାରତରେ ଆରମ୍ଭ ହୋଇଛି ଫାଇଭ-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ କାର୍ଯ୍ୟକ୍ରମରେ ମୋଦୀ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ତିନି ପ୍ରମୁଖ ଟେଲିକମ ଅପରେଟର୍ ପ୍ରଧାନମନ୍ତ୍ରୀଙ୍କ ଆଗରେ ୫-ଜି ଜ୍ଞାନକୌଶଳର ଉପସ୍ଥାପନ କରିଥିଲେ । ଏହି ଅବସରରେ ରିଲାଏନ୍ସ ଜିଓର ମୁକେଶ ଅମ୍ବାନୀ, ଏୟାରଟେଲର ସୁନୀଲ ମିତଲ ଓ ଭୋଡାଫୋନ୍-ଆଇଡିଆର କୁମାର ମଙ୍ଗଳମ ଉପସ୍ଥିତ ରହିଥିଲେ। ଆଜି ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ ବୁଲି ଦେଖିବା ବେ୍ଳେ ‘ରିଲାଏନ୍ସ୍ ଜିଓ’ ପକ୍ଷରୁ ଆକାଶ ଅମ୍ବାନୀ ‘୫ଜି’ ପ୍ରଯୁକ୍ତିବିଦ୍ୟାର ‘ଡେମୋ’ ଦେଖାଇଥିଲେ।
ଅକ୍ଟୋବର ୨୫ ତାରିଖରୁ ଦେଶର ୪ଟି ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ସହିତ ମୋଟ ୧୩ଟି ରାଜ୍ୟରେ ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଭାରତର ୧୩ ସହରରେ ୫-ଜି ସେବା ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦ, ବେଙ୍ଗାଲୁର, ଚଣ୍ଡୀଗଡ,ଚେନ୍ନାଇ, ଦିଲ୍ଲୀ, ଗାନ୍ଧିନଗର, ଗୁରଗାଓଁ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁନେରେ ୫ଜି ସେବା ଆରମ୍ଭ ହେବ। ଏହା ଭିତରେ ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି, ଜିଓ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ପୁରା ଭାରତରେ ୫ଜି ସେବା ଆରମ୍ଭ କରିବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ଟେକ୍ନୋଲୋଜିର କେବଳ ଏକ ଉପଭୋକ୍ତା ହୋଇ ରହିବ ନାହିଁ। ଭାରତ ସେହି ଟେକ୍ନୋଲୋଜିର ବିକାଶରେ ଗୁରୁତ୍ବପୂଣ୍ଣ ଭୂମିକା ଗ୍ରହଣ କରିବ। ଭବିଷ୍ୟତରେ ଓ୍ବାୟରଲେସ୍ ଟେକ୍ନୋଲୋଜିର ଡିଜାଇନ୍ କରିବା ମାନୁଫାକଚରିଂରେ ଭାରତର ଭୂମିକା ରହିବ। ୨ଜି,୩ଜି ଓ ୪ଜିର ସମୟରେ ଭାରତ ଟେକ୍ନୋଲୋଜି ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲା। କିନ୍ତୁ ୫ଜି ସହିତ ଭାରତ ନୂଆ ଇତିହାସ ସୃଷ୍ଟି କରିଛି।
ଆଗାମୀ କିଛି ବର୍ଷ ମଧ୍ୟରେ ଧୀରେ ଧୀରେ ଏହାକୁ ସମଗ୍ର ଦେଶରେ ବିସ୍ତାର କରାଯିବ । ୪-ଜି ତୁଳନାରେ ୫-ଜି ନେଟୱର୍କ ବହୁମାତ୍୍ରାରେ ଦ୍ରୁତ । ୫-ଜି ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିଥାଏ ଏବଂ କୋଟି କୋଟି ଡିଭାଇସକୁ ରିଅଲ୍ ଟାଇମରେ ତଥ୍ୟ ବାଂଟିବାରେ ସହାୟକ କରିଥାଏ । ୫-ଜି ଦ୍ୱାରା ନୂଆ ଆର୍ଥିକ ସୁଯୋଗ ଓ ସାମାଜିକ ଲାଭ ମିଳିପାରିବ, ଯାହା ଭାରତୀୟ ସମାଜ ପାଇଁ ପରିବର୍ତନକାରୀ ଶକ୍ତି ହେବାର କ୍ଷମତା ରଖିଛି ।