ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଚିଫ ଅଫ ଡିଫେନ୍ସ ଷ୍ଟାଫ
ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ (ଅବସରପ୍ରାପ୍ତ) ପିଭିଏସଏମ, ୟୁୱାଇଏସଏମ, ଏଭିଏସଏମ, ଏସଏମ, ଭିସିଏମଙ୍କୁ ପରବର୍ତ୍ତୀ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଭାବେ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ତିଥି ଠାରୁ ଓ ଅନ୍ୟାଦେଶ ନମିଳିବା ପର୍ଯ୍ୟନ୍ତ ଭାରତ ସରକାରଙ୍କ ମିଲିଟାରୀ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ପ୍ରାୟ ୪୦ ବର୍ଷର କ୍ୟାରିୟରରେ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ବିଭିନ୍ନ କମାଣ୍ଡ, ଷ୍ଟାଫ ଏବଂ ସହାୟକ ପଦବୀରେ କାର୍ଯ୍ୟ କରିଛନ୍ତି ଏବଂ ଜମ୍ମୁ ଓ କଶ୍ମୀର ଓ ଉତ୍ତର ପୂର୍ବ ଭାରତରେ ଆତଙ୍କବାଦ ନିରୋଧୀ ଅଭିଯାନରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି ।
ମେ ୧୮, ୧୯୬୧ରେ ଜନ୍ମିତ ଲେଫ୍ଟନାଣ୍ଟ ଅନୀଲ ଚୌହାନ ୧୯୮୧ରେ ଭାରତୀୟ ସେନାର ୧୧ ଗୋର୍ଖା ରାଇଫଲ୍ସରେ କମିଶନଡ ହୋଇଥିଲେ । ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ, ଖଡକୱାସଲା ଓ ଭାରତୀୟ ମିଲିଟାରୀ ଏକାଡେମୀ, ଡେରାଡୁନର ପୂର୍ବତନ ଛାତ୍ର ଥିଲେ । ମେଜର ଜେନେରାଲ ରାଙ୍କର ଅଧିକାରୀ ଭାବେ ସେ ଉତ୍ତର କମାଣ୍ଡର ଗୁରୁତ୍ୱପୂର୍ଣ୍ଣ ବାରାମୁଲା ସେକ୍ଟରରେ ଏକ ଇନଫାଣ୍ଟ୍ରି ଡିଭିଜନର କମାଣ୍ଡ କରିଥିଲେ । ପରେ ଲେଫ୍ଟନାଣ୍ଚ ଜେନେରାଲ ଭାବରେ ସେ ଉତ୍ତର-ପୂର୍ବରେ ଏକ କୋର କମାଣ୍ଡ ଦାୟିତ୍ୱରେ ଥିଲେ ଓ ପରେ ସେପ୍ଟେମ୍ବର ୨୦୧୯ରୁ ପୂର୍ବ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ-ଚିଫ ହୋଇଥିଲେ ଏବଂ ମେ ୨୦୨୧ରେ ଅବସର ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ ।