ନିବେଶକଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟକୁ ନିବେଶ ଟାଣିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେଉଛି ରାଜ୍ୟର ସର୍ବବୃହତ୍ ଶିଳ୍ପ ମହାକୁମ୍ଭ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ’ । ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ ନିବେଶକଙ୍କୁ ଆମନ୍ତ୍ରଣ ଲାଗି ମଙ୍ଗଳବାର ବେଙ୍ଗାଲୁର ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁମ୍ବାଇ ପରେ ବୁଧବାର ବେଙ୍ଗାଲୁରରେ ଆୟୋଜନ କରାଯାଇଛି ଓଡ଼ିଶା ନିବେଶକ ସମ୍ମିଳନୀ । ଏଥିରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଟିମ୍ ମଙ୍ଗଳବାର ସେଠାରେ ପହଞ୍ଚିଛି । ଓଡ଼ିଶାର ବିକାଶ କାହାଣୀରେ ଭାଗିଦାର ହେବା ପାଇଁ ନବୀନ ଏହି ଅବସରରେ ନିବେଶକଙ୍କୁ ଆହ୍ୱାନ ଦେବେ ।
ଶିଳ୍ପସଂଘ ଫିକି ସହଯୋଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବୁଧବାର ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ଶିଳ୍ପକ୍ଷେତ୍ରରୁ ୫୦୦ରୁ ଊଦ୍ଧ୍ୱର୍ ଶିଳ୍ପପତି, ବ୍ୟବସାୟୀ ଏବଂ ନିବେଶକ ଯୋଗ ଦେବେ ।
ଏ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଉଦ୍ବୋଧନ ଦେଇ‘ମେକ୍ ଇନ୍ ଓଡ଼ିଶା’ କନ୍କ୍ଲେଭ ସମ୍ପର୍କରେ ସେମାନଙ୍କୁ ସୂଚିତ କରିବେ ଓ ସେମାନଙ୍କୁ ରାଜ୍ୟର ଏହି ବିଶାଳ ସମ୍ମିଳନୀରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ବେଙ୍ଗାଲୁରୁ ଗସ୍ତ ଅବସରରେ ତାଙ୍କ ସହ ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ସଚିବ ମନୋଜ କୁମାର ମିଶ୍ର ଏବଂ ଷ୍ଟାର୍ଟ-ଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍କାର ରାଏ ପ୍ରମୁଖ ଯୋଗ ଦେଇଛନ୍ତି ।