ଶ୍ରୀଲିଙ୍ଗରାଜଙ୍କ ରାଜସ୍ୱକୁ ବିଏମ୍‌ସିର କବଜା

ଠାକୁରଙ୍କ ବିଭିନ୍ନ ସୈରାତକୁ ବିଏମ୍‌ସି କବଜା କରି ନେଇଛି । ସେଥିରୁ ମାହାସୁଲ ଆଦାୟ କରି ବିଏମ୍‌ସି ନିଜ ଭଣ୍ଡାର ଭର୍ତ୍ତି କରୁଛି । ଫଳରେ ଶ୍ରୀଲିଙ୍ଗରାଜ ନୀତିକାନ୍ତି ପରିଚାଳନାରେ ଏବେ ଅର୍ଥ ସଂକଟ ଦେଖାଦେଇଛି । ମନ୍ଦିର ଦପ୍ତର କର୍ମଚାରୀମାନେ ଠିକଣା ଭାବେ ପାରିଶ୍ରମିକ ପାଉନାହାନ୍ତି । ଯାନିଯାତ୍ରା ଆୟୋଜନ କରିବାକୁ ଠାକୁରଙ୍କ ସ୍ଥାୟୀ ପାଣ୍ଠି ଉପରେ ନିର୍ଭର କରିବାକୁ ପଡ଼ୁଛି । ଠାକୁର ରାଜସ୍ୱରେ ବିଏମ୍‌ସିର ଏହି ଅନୁପ୍ରବେଶକୁ ବନ୍ଦ କରି ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଏହାର ଅଧିକାର ଦେବା ଲାଗି ଦାବି କରିଛି ଏକାମ୍ର ଜନ ଜାଗରଣ ମଞ୍ଚ । ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ମଞ୍ଚ ଜିଲ୍ଲାପାଳଙ୍କୁ ଜଣାଇଛି । ନଚେତ୍‌ ଆଗକୁ ତୀବ୍ର ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ମଞ୍ଚ ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକ ଚେତାବନୀ ଦେଇଛନ୍ତି ।

ମଞ୍ଚ ଅଭିଯୋଗ କରିଛି, ଏକାମ୍ରକ୍ଷେତ୍ରରେ ଥିବା ଅଧିକାଂଶ ସର୍ବସାଧାରଣ ରାସ୍ତା ଶ୍ରୀଜିଉଙ୍କ ଜମରେ ନିର୍ମିତ ହୋଇଛି । ତଦନୁଯାୟୀ ବହୁ ବର୍ଷ ହେବ ମନ୍ଦିର ଟ୍ରଷ୍ଟ ବୋର୍ଡ ଦାଣ୍ଡ ମାହାସୁଲ ସୈରାତ ନିଲାମ କରି ବାର୍ଷିକ ହାରାହାରି ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଉଥିଲା । ଟ୍ରଷ୍ଟ ବୋର୍ଡ ଦ୍ୱାରା ନିର୍ମିତ ଅନେକ ଘର ଭଡ଼ା ଦିଆଯାଇ ସେଥିରୁ ପ୍ରତିମାସ ଭଡ଼ା ମିଳୁଥିଲା । କିନ୍ତୁ ସେହି ଘର ଗୁଡ଼ିକ ଏକାମ୍ର ଯୋଜନାରେ ଭାଙ୍ଗି ଦିଆଗଲା । ଗଙ୍ଗାଜମୁନା ନିକଟରେ ଶ୍ରୀଜିଉଙ୍କ ପ୍ରାୟ ୧୦୦ କୋଟି ଟଙ୍କାର ଜମିରେ ପର୍ଯ୍ୟଟନ ବିଭାଗ ମାର୍କେଟ କମ୍ପେ୍ଲକ୍ସ, ପାର୍କି ସ୍ଥାନ, ରାସ୍ତାଘାଟ ଆଦି ନିର୍ମାଣ କଲା । ଜମି ବାବଦରେ ଶ୍ରୀଜିଉଙ୍କ ତହବିଲକୁ ଟଙ୍କାଏ ବି ଯାଇନାହିଁ । ଏପଟେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମିତ ମାର୍କେଟକୁ ବିଏମ୍‌ସି ଏକରକମ ମାଡ଼ିବସିଛି ।