ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା

ପୂଜା ପୂର୍ବରୁ ପୁଣି ରାଜଧାନୀରେ ଘଟିଛି ହତ୍ୟାକାଣ୍ଡ । ୟୁନିଟ୍‌-୮ରେ ଜଣେ ଯୁବକଙ୍କୁ ରଡ୍‌ରେ ପିଟି, ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ମୃତ ଯୁବକଙ୍କ ନାମ ପି. ସୁବ୍ରତ ରାଓ(୩୫) ଓରଫ ଚନ୍ଦୁ । ଗୁରୁତର ଆହତଙ୍କ ନାମ ଭବାନୀ ଶଙ୍କର ବସ୍ତିଆ (୨୮) ଓରଫ ଭିଥଲ । ନିଶା କାରବାରକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ଶାରଦୀୟ ଦୁର୍ଗାପୂଜା ପୂର୍ବରୁ ରାଜଧାନୀରେ ଏଭଳି ହତ୍ୟାକାଣ୍ଡ ଆତଙ୍କ ଖେଳାଇ ଦେଇଛି ।

ୟୁନିଟ୍‌-୮ରେ ନାରାୟଣୀ ବସ୍ତି ତୁଳସୀ ସାହିରେ ଚନ୍ଦୁଙ୍କ ଘର । ଉକ୍ତ ବସ୍ତିରେ ରଞ୍ଜୁ ନାମ୍ନୀ ମହିଳା ଓ ତାଙ୍କ ପୁଅ ଦୀର୍ଘ ଦିନ ହେଲା ବ୍ରାଉନ୍‌ସୁଗର, ଗଞ୍ଜେଇ ବେପାର କରୁଛନ୍ତି । ଚନ୍ଦୁ ଓ ତାଙ୍କ ସହଯୋଗୀମାନେ ନିଶା କାରବାରକୁ ବିରୋଧ କରୁଥିଲେ । ଯାହାକୁ କେନ୍ଦ୍ର କରି ଅପରପକ୍ଷ ଗୋଷ୍ଠୀ ସହିତ ଚନ୍ଦୁଙ୍କ ଶତ୍ରୁତା ଥିଲା । ଗଣେଶ ପୂଜା ବେଳେ ମଧ୍ୟ ନିଶା ବେପାର ବନ୍ଦ କରିବାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।