ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ୟୁ. ୟୁ. ଲଳିତ

ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନ ପରିସରରେ ଏହି ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଛି ।

ଦେଶର ୪୯ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଲଳିତ । ଜଷ୍ଟିସ ଲଳିତ ମାତ୍ର ୭୪ ଦିନ ପାଇଁ ପ୍ରଧାନ ବିଚାରପତି ପଦରେ ରହିବେ । ସେ ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ । ୧୦୨ ବର୍ଷ ହେଲା ଲଳିତ ପରିବାର ଓକିଲାତି ପେସାରେ ରହିଛନ୍ତି । ତାଙ୍କ ଜେଜେବାପା ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଓକିଲ ଭାବେ ସ୍ୱାଧୀନତାର ଯଥେଷ୍ଟ ପୂର୍ବରୁ କାମ କରୁଥିଲେ । ବାପା ଉମେଶ ରଙ୍ଗନାଥ ଲଳିତଙ୍କୁ ଏବେ ୯୦ ବର୍ଷ । ସେ ମଧ୍ୟ ଜଣେ ଜଣାଶୁଣା ଓକିଲ। ୬୪ ବର୍ଷୀୟ ଜଷ୍ଟିସ ୟୁୟୁ ଲଳିତ ପ୍ରଥମେ ବମ୍ବେ ହାଇକୋର୍ଟରେ ଓକିଲାତି କରୁଥିଲେ । ୧୯୮୦ରେ ସେ ପରିବାର ଲୋକଙ୍କ ସହ ଦିଲ୍ଲୀ ଚାଲି ଆସିଥିଲେ ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ବିଚାରପତି ଲଳିତ ଈଶ୍ବରଙ୍କ ନାମରେ ଶପଥ ଗ୍ରହଣ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ, ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି. ରମନା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଚାରପତି ଡି. ୱାଇଐ ଚନ୍ଦ୍ରଚୂଡ଼, ଏସ୍‌. ଅବ୍ଦୁଲ୍‌ ନାଜୀରଙ୍କ ଭଳି ସୁପ୍ରିମ୍‌ କୋର୍ଟର ବିଚାରପତି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।