କେଜରିଓ୍ବାଲଙ୍କ ମିଟିଂରେ 9 ବିଧାୟକ ଯୋଗ ଦେଲେନି

ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ପ୍ରସଙ୍ଗରେ ବିଜେପି ଉପରେ ଅଭିଯୋଗ ଆଣିଛି ଆପ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବିଧାନସଭା ଦଳର ଏକ ବୈଠକ ଡକାଯାଇଥିଲା ଯେଉଁଥିରେ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ସମେତ 9 ଜଣ ବିଧାୟକ ପହଞ୍ଚି ପାରିନଥିଲେ। ତେବେ ସିସୋଦିଆ ସମ୍ପର୍କରେ ଦଳ କହିଛି ଯେ ସେ ହିମାଚଳ ଗସ୍ତରେ ଯାଇଛନ୍ତି। ଅନ୍ୟାନ୍ୟ ବିଧାୟକମାନେ ନିଜ କାର୍ଯ୍ୟରେ ବାହାରେ ଥିବା କହିଛନ୍ତି କେଜରିଓ୍ବାଲ ।

ଏହା ସହ ସେ କହିଛନ୍ତି ଯେ ବିଜେପି ତାଙ୍କ ସରକାରଙ୍କୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି । ସେ କହିଛନ୍ତି- ବିଜେପି ଆମର 40 ଜଣ ବିଧାୟକ କିଣିବାକୁ ଚେଷ୍ଟା କରୁଛି। ସମସ୍ତ ବିଧାୟକଙ୍କୁ 20-20 କୋଟି ପ୍ରଦାନ କରାଯାଉଛି। 800 କୋଟି ଟଙ୍କା ଖର୍ଚ୍ଚ କରି ବିଜେପି ଦିଲ୍ଲୀ ସରକାରକୁ ଟପିଯିବାକୁ ଚାହୁଁଛି। 70 ସିଟ୍ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର 62 ଏବଂ ବିଜେପି 8 ଟି ଆସନ ରହିଛି । ଆପର ଏହି ଅଭିଯୋଗକୁ ବିଜେପି ପକ୍ଷରୁ ମିଥ୍ୟା ବୋଲି କୁହାଯାଇଛି । ବିଜେପି କହିଛି ଆପ ମିଛ କହି ଲୋକଙ୍କୁ ଭୂଆଁ ବୁଲାଇବାକୁ ଚାହୁଁଛି । କେଉଁ ନେତା ଆପକୁ ଭାଙ୍ଗିବାକୁ ଟଙ୍କା ଯାଚୁଥିଲେ ତାଙ୍କ ନାମ କହିବାକୁ ବିଜେପି ପକ୍ଷରୁ କୁହାଯାଇଛି ।

ଅଗଷ୍ଟ 19 ତାରିଖରୁ ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ଟକ୍କର ଚାଲିଛି । ସିବିଆଇ ଅଗଷ୍ଟ 19 ରେ ମନୀଷ ସିସୋଡିଆଙ୍କ ଘରେ ରେଡ କରିଥିଲା । ରେଡ ପ୍ରାୟ 14 ଘଣ୍ଟା ଧରି ଚାଲିଥିଲା, ଯାହା ପରେ ସିବିଆଇ PMLA ଅଧିନିୟମ ଅନୁଯାୟୀ ଏହି ମାମଲାରେ ମାମଲା ରୁଜୁ କରିଥିଲା। ସେବେଠାରୁ କେନ୍ଦ୍ରରେ ଶାସକ ଦଳ ବିଜେପି ବିରୋଧରେ ଆପ ଏପରି ଅଭିଯୋଗ ଆଣୁଛି ।

ଏଥି ସହ ବିଜେପି ଏହାର ଉତ୍ତରରେ କହିଛି – ଆମ୍ ଆଦମୀ ପାର୍ଟି ଦୁର୍ନୀତିର ଅଭିଯୋଗକୁ ଏଡାଇବା ପାଇଁ ମିଥ୍ୟା ପରିବେଶ ସୃଷ୍ଟି କରୁଛି।