୧୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି ପ୍ରଭୃତି ୧୬ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ହେବାର ସମ୍ଭାବନା ରହିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳର ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୪.୫ ରୁ ୫.୮ କିମି ଉଚ୍ଚରେ ସକ୍ରିୟ ରହିଛି ଏକ ଘୁର୍ଣ୍ଣିବଳୟ l

ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସୂଚନା । ୬ଟି ବ୍ଲକର ୮୩ ପଞ୍ଚାୟତର ୧୫୬ ଗାଁ ପ୍ରଭାବିତ । ୪୦ ହଜାର ଲୋକଙ୍କୁ ୨୨୭ ଆଶ୍ରୟସ୍ଥଳୀରେ ରଖାଯାଇଛି । ଆବଶ୍ୟକ ପଡ଼ିଲେ ପକ୍କା ଘରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।

ଆଜି କାର୍ଗିଲ ବିଜୟ ଦିବସ

୨୪ ବର୍ଷ ତଳର ଏହି ସ୍ମୃତି ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ତାଜା ହୋଇ ରହିଛି । ରହିବନି କେମିତି ଯେ!  ଆଜି ପରା କାର୍ଗିଲ ବିଜୟ ଦିବସ। ଏହି କଥା ମନେପଡ଼ିଲେ ଆମ ଛାତି ଗର୍ବ ଆଉ ଗୌରବରେ ଫୁଲି ଉଠେ। ଦେଶପାଇଁ ସହିଦ ହୋଇ ଗର୍ବରେ ଆମ ଛାଡ଼ି ଚଉଡ଼ା କରିଥିବା ସେ ବୀରମାନେ ହେଉଛନ୍ତି କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ, କ୍ୟାପ୍ଟେନ ବିକ୍ରମ ବତ୍ରା, କ୍ୟାପ୍ଟେନ୍‌ ଅମୋଲ କାଲିଆ, ଲେଫ୍ଟନାଣ୍ଟ ବଲୱାନ ସିଂ ଆଦି। ଆହୁରି ଅନେକ ବୀର ରହିଛନ୍ତି; ଯାହାଙ୍କ ନାମ ଏଠାରେ ପ୍ରକାଶ କରାଯାଇ ନାହିଁ।

୧୯୯୯ ମସିହା ଜୁଲାଇ ମାସରେ ଭାରତକୁ ପ୍ରବେଶ କରିଥିଲେ ପାକିସ୍ତାନୀ ସେନା । କାରଗିଲ ସେକ୍ଟରରେ ଖାଲି ପଡ଼ିଥିବା ବଙ୍କର ଗୁଡ଼ିକୁ ଛଦ୍ମ ବେଶରେ ଆସି ଅକ୍ତିଆର କରିନେଇଥିଲା ଧୋକାବାଜ ପାକିସ୍ତାନ । ଆଉ ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିଲା । ହେଲେ ମୁହଁତୋଡ଼ ଯବାବ ଦେଇ ବିଜୟ ହାସଲ କରିଥିଲେ ଆମ ଭାରତୀୟ ସେନା।

୧୯୯୯ ମସିହା ଜୁଲାଇ ୨୬ । କାରଗିଲ ବିଜୟ ଦିବସ । ପ୍ରାୟ ୨ ମାସ ଧରି କାରଗିଲର ଉଚ୍ଚ ଶୀଖର ପାହାଡ଼ରେ ଶତ୍ରୁ ରାଷ୍ଟ୍ର ସହ ଲଢ଼େଇ କରି ଏହି ଦିନରେ ବିଜୟ ହାସଲ କରିଥିଲେ ଭାରତୀୟ ସେନା  । ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍‌ରେ କବ୍‌ଜା ଜମାଇ ଥିବା ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ପତାକା ଉଡ଼ାଇଥିଲେ ଭାରତୀୟ ସେନା । ସେଥିପାଇଁ ପ୍ରତି ବର୍ଷ ଜୁଲାଇ ୨୬କୁ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରାଯାଉଛି ।

ଏତେ ସହଜ ନଥିଲା ଅପରେସନ ବିଜୟକୁ ସଫଳ କରାଇବା । ଏତେ ସହଜ ନଥିଲା ହଜାର ହଜାର ଫୁଟ ଉପରେ ବିଜୟର ବାନା ଉଡ଼ାଇବା । ଏତେ ସହଜ ନଥିଲା ଧୋକା ବାଜ ପାକିସ୍ତାନକୁ ଧକ୍କା ଦେଇ ବାହାର କରିବା । ତଥାପି ପଣ କରିଥିଲେ ଭାରତୀୟ ସେନା । ମାରିବୁ ନହେଲେ ମରିବୁ ।

ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି

ଦୁଇ ରାଷ୍ଟ୍ର ଗସ୍ତର ଦ୍ଵିତୀୟ ପର୍ଯ୍ୟାୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦୀପର ମାଲେରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭାଲେନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବା ପରେ ମାଳଦୀପ ରାଷ୍ଟ୍ରପତି ଡଃ ମହମଦ ମୁଈଜୁ ସ୍ୱାଗତ କରିଥିଲେ। ଉଭୟ ମାଳଦୀପ ଏବଂ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ବିମାନ ବନ୍ଦର ବାହାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପୂର୍ବକ ଶ୍ରୀ ମୋଦୀଙ୍କୁ ୨୧ ତୋପ ସଲାମି ସହ ସ୍ୱାଗତ କରାଯାଇଥିଲା। କୁନି କୁନି ଭାରତୀୟ ପିଲାମାନେ ଛଉ ନୃତ୍ୟ ପ୍ରଦର୍ଶନ କରିଥିଲେ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଲେର ରିପବ୍ଲିକ ସ୍କୋୟାରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ପରେ ଶ୍ରୀ ମୋଦୀ ମାଳଦୀପର କେତେଜଣ ନେତୃବୃନ୍ଦଙ୍କୁ ସାକ୍ଷାତ କରିଥିବା ବେଳେ ରାଷ୍ଟ୍ରପତି ଡଃ ମୁଈଜୁ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଓ ଅନ୍ୟ ଭାରତୀୟ ପ୍ରତିନିଧିଙ୍କ ସହ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ମାଳଦୀପ ରାଷ୍ଟ୍ରପତି ଭବନରେ ପରିଦର୍ଶକ ପୁସ୍ତିକାରେ ସ୍ଵାକ୍ଷର କରିଛନ୍ତି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଡଃ ମୋଇଜୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବ

ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି  କହିଛନ୍ତି ଯେ ତାଙ୍କ ଦଳ କ୍ଷମତାରେ ଥିବା ସମୟରେ ଜାତିଗତ ଜନଗଣନା ନକରିବା ତାଙ୍କର ଭୁଲ ଥିଲା, କିନ୍ତୁ ଏବେ ସେ ଏହି ଭୁଲକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ଜାତିଗତ ଜନଗଣନା ପ୍ରସଙ୍ଗ ଏକ ରାଜନୈତିକ ଭୂମିକମ୍ପ ଯାହା ଦେଶର ରାଜନୈତିକ ଭୂମିକୁ ଦୋହଲାଇ ଦେଇଛି।

କଂଗ୍ରେସର ‘ଓବିସି ଭାଗୀଦାରୀ ନ୍ୟାୟ ସମ୍ମିଳନୀ’କୁ ସମ୍ବୋଧିତ କରି  ରାହୁଲ ଗାନ୍ଧୀ କହିଛନ୍ତି, ‘ମୁଁ ୨୦୦୪ ମସିହାରୁ ରାଜନୀତି କରିଆସୁଛି। ଯେତେବେଳେ ମୁଁ ନିଜକୁ ମୂଲ୍ୟାଙ୍କନ କରେ, ମୁଁ ଜାଣିପାରେ ଯେ କେଉଁଠି ମୁଁ ଭଲ କାମ କରିଛି ଏବଂ କେଉଁଠି ମୋର ଅଭାବ ଅଛି… ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ବିଷୟରେ ହେଉ, ମୋତେ ଭଲ ନମ୍ବର ମିଳିବା ଉଚିତ। ମହିଳା ପ୍ରସଙ୍ଗରେ ମୋତେ ଭଲ ନମ୍ବର ମିଳିବା ଉଚିତ, କିନ୍ତୁ ଯେତେବେଳେ ମୁଁ ପଛକୁ ଫେରି ଦେଖେ, ଗୋଟିଏ କଥା ସ୍ପଷ୍ଟ ଯେ ଗୋଟିଏ ଜିନିଷର ଅଭାବ ଥିଲା।ଦଳିତଙ୍କ ସମସ୍ୟାକୁ ବୁଝିବା ସହଜ ମାତ୍ର ଓବିସିଙ୍କ ସମସ୍ୟା ଆଖିକୁ ଦେଖାଯାଏ ନାହିଁ। ମୋର ଅବଶୋଷ ଯେ ଯଦି ମୁଁ ସେତେବେଳେ ଏହି ସମସ୍ୟାକୁ ବୁଝିଥାନ୍ତି, ତେବେ ସେତେବେଳେ କଂଗ୍ରେସ ଜାତିଜନଗଣନା କରାଇଥାନ୍ତା। ମୁଁ କରିଥିବା ଏହି ଗୋଟିଏ ଭୁଲ ହେଉଛି ଯେ ମୁଁ ଓବିସି ବର୍ଗ (ସ୍ୱାର୍ଥ)କୁ ଯେପରି ଭାବରେ ସୁରକ୍ଷା ଦେବା କଥା ସେପରି କରିନଥିଲି। ଏହାର କାରଣ ହେଉଛି ଯେ ମୁଁ ସେତେବେଳେ ଆପଣଙ୍କ ପ୍ରସଙ୍ଗଗୁଡ଼ିକୁ ଗଭୀର ଭାବରେ ବୁଝିପାରି ନଥିଲି।’ କାରଣ ଦଳିତଙ୍କ ସମସ୍ୟାକୁ ବୁଝିବା ସହଜ ମାତ୍ର ଓବିସିଙ୍କ ସମସ୍ୟା ଆଖିକୁ ଦେଖାଯାଏ ନାହିଁ । ମୋର ଅବଶୋଷ ଯେ ଯଦି ମୁଁ ସେତେବେଳେ ଏହି ସମସ୍ୟାକୁ ବୁଝିଥାନ୍ତି, ତେବେ ସେତେବେଳେ କଂଗ୍ରେସ ଜାତିଜନଗଣନା କରାଇଥାନ୍ତା ।

 

ଦିଲ୍ଲୀରେ ଖୁବ୍‌ ଜୋର୍‌ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି

ଦିଲ୍ଲୀରେ ଖୁବ୍‌ ଜୋର୍‌ରେ ବର୍ଷା ହେବା ପରେ ଭିନ୍ନ ଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଅନେକ ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାତ୍ର ଚଳିତ ଥର ମିଣ୍ଟୋ ବ୍ରିଜ୍‌ ଅଞ୍ଚଳରେ ବର୍ଷା ପାଣି ଜମି ନାହିଁ । ଏହାକୁ ନେଇ ବିଜେପି ଦିଲ୍ଲୀରେ ରେଖାଙ୍କ ସରକାରକୁ ପ୍ରଶଂସା କରିଛି । ବିଜେପି ଆଇଟି ସେଲ୍‌ ପ୍ରମୁଖ ଅମିତ ମାଲବୀୟ ମିଣ୍ଟୋ ବ୍ରିଜ୍‌ର ଦୃଶ୍ୟ ଶେୟାର କରିଛନ୍ତି । ବୁଧବାର ବର୍ଷା ମଧ୍ୟରେ ଯାନବାହନ ଗୁଡିକ କୌଣସି ସମସ୍ୟା ବିନା ଯାତାୟାତ କରୁଥିବା ଦେଖାଯାଇଥିଲା । ଏହା ମଧ୍ୟରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ଦିଲ୍ଲୀର ଅନ୍ୟ ସ୍ଥାନମାନଙ୍କର ଜଳ ଭର୍ତ୍ତି ଫଟୋ ଜରିଆରେ ବିଜେପି ସରକାରଙ୍କ ଉପରେ ପ୍ରଶ୍ନ ସୃଷ୍ଟି କରିଛନ୍ତି। ଆପ୍‌ ଜଣାଇଛି ଯେ, ଲୋକେ ରାସ୍ତାରେ ପହଁରି ପହଁରି ଯାଉଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟରେ ମାଲବୀୟ କହିଛନ୍ତି ଯେ ପ୍ରବଳ ବର୍ଷା ସତ୍ତ୍ୱେ, ମିଣ୍ଟୋ ବ୍ରିଜରେ ଯାତାୟାତ ସୁରୁଖୁରୁରେ ଚାଲିଛି, ଯାହା ଥରେ ହାଲୁକା ବର୍ଷାରେ ମଧ୍ୟ ବୁଡ଼ି ଯାଉଥିବା ପ୍ରଥମ ପୋଲ ଥିଲା। ବିଜେପି ସରକାର ଅଧୀନରେ କିଛି ମାସ ମଧ୍ୟରେ ଦିଲ୍ଲୀରେ ଏହା ପରିବର୍ତ୍ତନ ଦେଖାଦେଇଛି।

ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ଅନେକ ତଳିଆ ଅଞ୍ଚଳ ଆଣ୍ଠୁଏ ପାଣିରେ ବୁଡ଼ି ଯାଇଥିଲା। ଜଳବନ୍ଦୀ ଏବଂ ଟ୍ରାଫିକ୍ ଜାମ ଦିଲ୍ଲୀର ଅନେକ ଅଂଶକୁ ପ୍ରଭାବିତ କରିଥିଲା। ଏଥିରେ ଦକ୍ଷିଣ ଦିଲ୍ଲୀ, ଦକ୍ଷିଣ ପୂର୍ବ ଦିଲ୍ଲୀ, ଉତ୍ତର ଦିଲ୍ଲୀ, ଆଇଟିଓ, ଦକ୍ଷିଣ ଏକ୍ସଟେନସନ୍, ଏନଏଚ-୮, ମେହରୌଲି-ଗୁଡ଼ଗାଁ ରୋଡ୍, ନେହେରୁ ପ୍ଲେସ୍, କୈଳାସର ପୂର୍ବ, କଲୋନି ରୋଡ୍ ଏବଂ ଅନ୍ୟାନ୍ୟ ଅନେକ ଅଞ୍ଚଳ ଅନ୍ତର୍ଭୁକ୍ତ। ଆମ ଆଦମୀ ପାର୍ଟି ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ସରକାର ଗଣମାଧ୍ୟମରେ ମିଥ୍ୟା ଦାବି କରୁଥିବା ଅଭିଯୋଗ କରିଛି।

 

ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ

ବରିଷ୍ଠ ନେତାମାନଙ୍କ ସ୍ବାଭାବିକ ଅବସର ବୟସ ୭୫ ବର୍ଷ ହେବା ଉଚିତ ବୋଲି ଜୁଲାଇ ୯ରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଥିଲେ। ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତକରି ସେ ଦେଇଥିବା ଏହି ମନ୍ତବ୍ୟକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ୨୦୨୫ ସେପ୍ଟେମ୍ବରରେ ଭାଗବତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ ବର୍ଷ ପୂରିବାକୁ ଯାଉଛି। ମୋଦି ୨ ମାସ ମଧ୍ୟରେ ୭୫ ବର୍ଷରେ ପଦାର୍ପଣ କରିବାକୁ ଥିବାରୁ ଭାଗବତ ତାଙ୍କ ଉଦ୍ଦେଶ୍ୟରେ ଏହି ପରାମର୍ଶ ଦେଇଥିବା କଂଗ୍ରେସ ଓ ଶିବସେନା ୟୁବିଟି ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଅନୁମାନ ଲଗାଇଲେ। ସେହି ୯ ତାରିଖ ରାତିରେ ଅହମଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ନିଜ ଅବସର ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଶାହା କହିଥିଲେ, ରାଜନୀତିରୁ ସନ୍ନ୍ୟାସ ନେବା ପରେ ସେ ଗୁଜରାଟ ଯାଇ ନିଜ ସମ୍ପୂର୍ଣ୍ଣ ଜୀବନ ବେଦ, ଉପନିଷଦ ଓ ନାଚୁରାଲ ଫାର୍ମିଂ (ପ୍ରାକୃତିକ ଉପାୟରେ କୃଷି) କ୍ଷେତ୍ରରେ ଉତ୍ସର୍ଗ କରିଦେବେ। ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି କୃଷିରୁ ଉତ୍ପାଦନ ବୃଦ୍ଧି ଓ ରୋଗମୁକ୍ତ ଜୀବନ ଭଳି ଅନେକ ଲାଭ ମିଳିଥାଏ। ଏହାର ଦିନକ ପରେ ଅର୍ଥାତ୍‌ ଜୁଲାଇ ୧୦ରେ ଉପରାଷ୍ଟ୍ରପତି ଜଗଦୀପ ଧନକର ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ସବୁକିଛି ଠିକ୍‌ଠାକ୍‌ ଚାଲିଲେ ସେ ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇସାରିବା ପରେ ୨୦୨୭ ଅଗଷ୍ଟ ୧୦ରେ ଅବସର ନେବେ। ନିଜକୁ ଜଣେ ‘କୃଷକ ପୁତ୍ର’ ଭାବେ ଅଭିହିତ କରି ଅନେକ ସମୟରେ ଚାଷୀମାନଙ୍କ ସଶକ୍ତୀକରଣକୁ ଗୁରୁତ୍ୱ ଦେଇଆସିଥିବା ଧନକର ଏଭଳି ମନ୍ତବ୍ୟ ଦେବା ପରେ ସେ ମଧ୍ୟ ପରବର୍ତ୍ତୀ ଜୀବନକାଳରେ ଚାଷକାର୍ଯ୍ୟରେ ମନୋନିବେଶ କରିପାରନ୍ତି ବୋଲି ଅନେକେ ଧରିନେଇଥିଲେ। ତେବେ ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନ ସୋମବାର ଧନକର ରାଜ୍ୟ ସଭାକୁ ଯାଇ ସଭାକାର୍ଯ୍ୟ ତୁଲାଇଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ଧନକର ଉଚ୍ଚ ସଦନରେ ଦିନସାରା ରହିବା ଭିତରେ ଅବସର ସମ୍ପର୍କରେ ଘୋଷଣା କରିପାରି ଥାଆନ୍ତେ। କିନ୍ତୁ ଦୀର୍ଘ ସମୟ କାର୍ଯ୍ୟ ତୁଲାଇବା ପରେ ମଧ୍ୟ ସେ ସେପରି କରି ନ ଥିଲେ। ପାର୍ଲାମେଣ୍ଟରୁ ନିଜ ସରକାରୀ ବାସଭବନକୁ ଯିବା ପରେ ରାତିରେ ହଠାତ୍‌ ନିଜ ‘X’ ହ୍ୟାଣ୍ଡଲରେ ସେ ଉପରାଷ୍ଟ୍ରପତି ପଦରୁ ତତ୍କାଳ ଇସ୍ତଫା ଦେଇଥିବା ଘୋଷଣା କଲେ। ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ଶେୟାର କଲେ। ଅର୍ଥାତ୍‌ ଧନକର ସୋମବାର ରାତିରେ ହିଁ ଇସ୍ତଫା ଦେବେ ବୋଲି ଦିନବେଳା ତାଙ୍କ ମନରେ ନ ଥିଲା କିମ୍ବା ଏ ସମ୍ପର୍କରେ ସେ ଆଦୌ ଅବଗତ ନ ଥିଲେ। ଘରକୁ ଯିବା ପରେ କୌଣସି ଆଡ଼ୁ ତାଙ୍କ ଉପରେ ପଦ ଛାଡ଼ିବାକୁ ଚାପ ପଡ଼ିଥାଇପାରେ ବୋଲି ଦିଲ୍ଲୀ ମହଲରେ କୌତୂହଳର ସହ ଚିନ୍ତା କରାଯାଉଛି। ଏହା ପୂର୍ବରୁ ଭାଜପା ଲାଲକୃଷ୍ଣ ଆଡ୍‌ଭାନୀ ଓ ମୁରଲୀ ମନୋହର ଜୋଷୀଙ୍କ ଭଳି ବରିଷ୍ଠ ନେତାଙ୍କୁ ୭୫ ବର୍ଷ ବୟସରେ ଅଣାନୁଷ୍ଠାନିକ ଭାବେ ଅବସର ଦେଇଥିଲା। ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଏହି ବରିଷ୍ଠ ନେତାମାନଙ୍କୁ ମାର୍ଗଦର୍ଶକ ମଣ୍ଡଳକୁ ହଟାଇ ଦିଆଯାଇଥିଲା। ତେଣୁ ଭାଗବତ ଓ ଶାହାଙ୍କ ମନ୍ତବ୍ୟ ପରେ ୭୪ ବର୍ଷୀୟ ଧନକରଙ୍କୁ ବିଦା କରାଯାଇଥାଇପାରେ ଏବଂ ହଠାତ୍‌ କୌଣସି ଆଡ଼ୁ ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କରିବାକୁ ବାଧ୍ୟ ହୋଇଥାଇପାରନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ ଅନୁମାନ କଲେଣି।