ଲଗାଣ ବର୍ଷା ପରେ ମହାନଦୀ ସମେତ ୪ ନଦୀରେ ବଢୁଛି ଜଳସ୍ତର
ଲଗାଣ ବର୍ଷା ପରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ମହାନଦୀ ସମେତ ୪ ନଦୀରେ ବଢୁଛି ଜଳସ୍ତର । ନରାଜରେ ବିପଦ ସଙ୍କେତ ଉପରେ ମହାନଦୀ ଜଳ ପ୍ରବାହିତ ହେଉଛି । ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର, ଜଳସ୍ତର ୨୭.୧୫ ମି । ସେହିପରି ଆଳିପିଙ୍ଗଳରେ ଦେବୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ସେପଟେ, ମୁଣ୍ଡଳିରେ ବିପଦ ସଙ୍କେତ ଟପିଲା ମହାନଦୀ ଜଳସ୍ତର । ବିପଦ ସଙ୍କେତ ୯୭.୨୭ ଫୁଟ, ଜଳସ୍ତର ୯୭.୩୦ ଫୁଟ । ମୁଣ୍ଡଳିରେ ୧୧ଲକ୍ଷ ୬୦ହଜାର ୯୦୦ କ୍ୟୁସେକ ଜଳ ପ୍ରବାହିତ ।
ସେପଟେ ଛତିଶଗଡରେ ବନ୍ୟା ସ୍ଥିତି ପାଇଁ ଓଡ଼ିଶା ଦାୟୀ କରିଛି ଛତିଶଗଡ଼ । ହୀରାକୁଦରେ ଅଧିକ ସଂଖ୍ୟକ ଗେଟ୍ ନ ଖୋଲିବା କାରଣରୁ ଛତିଶଗଡରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ସେଠାକାର ନେତା ଅଭିଯୋଗ କରୁଛନ୍ତି । ଆଉ ଏହି ଘଟଣାକୁ ନେଇ ଏବେ ଓଡ଼ିଶା ଓ ଛତିଶଗଡ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଯାହାର ସମାଧାନ ପାଇଁ ଆଜି ଓଡ଼ିଶା-ଛତିଶଗଡ ମଧ୍ୟରେ ହେବ ଆଲୋଚନା । ଅପରାହ୍ନ ୪ଟା ସମୟରେ ଏହି ଆଲୋଚନା ହେବ । ଭିଡ଼ିଓ କନଫରେନ୍ସିରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହେବ । ଜଳ ପରିଚାଳନା ନେଇ ଯେଉଁ ସମସ୍ୟା ରହିଛି ସେ ବାବଦରେ ଉଭୟ ପକ୍ଷ ଆଲୋଚନା କରିବେ । ଆଉ ଏହାପରେ ହୁଏତ କୌଣସି ସମାଧାନର ବାଟ ବାହାରିବ ।