ସିନ୍ଦେ ସରକାରଙ୍କ ଉପରେ ଭାରି ପଡିଲା ବିଜେପି
ମହାରାଷ୍ଟ୍ର କ୍ଷମତା କନ୍ଦଳ ଭିତରେ ବିଜେପି ସମର୍ଥନରେ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେ ସିନା ମୁଖ୍ୟମନ୍ତ୍ରୀ ହୋଇଗଲେ ହେଲେ ସରକାର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ବିଜେପି ହାତକୁ ଚାଲିଗଲା । ସିନ୍ଦେ ସରକାର ଗଠନର ୪୦ ଦିନ ପରେ ରବିବାର ଦିନ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହୋଇଛି । ଏହି ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ପରେ ସ୍ପଷ୍ଟ ହୋଇଗଲା କି ସିନ୍ଦେଙ୍କ ନାମରେ ଫଡନଭିସ ସରକାର ଚଳାଇବେ । ଏହି କ୍ରମରେ ଫଡନଭିସ ଗୃହମନ୍ତ୍ରୀଣାଳୟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ନେଇଛନ୍ତି । କେବଳ ସେ ଏକା ନୁହେଁ ବିଜେପି ପ୍ରାୟତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ନେଇଛି । ଏଥିରେ ସ୍ପଷ୍ଟ ହୋଇଛି କି, ବିଜେପି ସିନା ମୁଖ୍ୟମନ୍ତ୍ରୀ ପଦ ଛାଡିଲା ହେଲେ ସରକାର ଉପରେ କିଭଳି ପୂର୍ଣ୍ଣ ନିୟନ୍ତ୍ରଣ ରହିବ ସେନେଇ ବ୍ୟବସ୍ଥା କରିଦେଲା ।