ଯୋଧପୁର ହିଂସା: ୯୭ ଉପଦ୍ରବୀ ଗିରଫ

ଯୋଧପୁର ହିଂସା: ୯୭ ଉପଦ୍ରବୀ ଗିରଫ

ମେଟ୍ରୋ ଟିଭି ଓଡିଶା (୪.୫.୨୦୨୨)

 ରାଜସ୍ଥାନର ସୂର୍ଯ୍ୟନଗରୀ ଯୋଧପୁରରେ ଈଦ୍ ଓ ଅକ୍ଷୟ ତୃତୀୟା ପର୍ବ ପୂର୍ବରୁ ସୋମବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଘଟଣାରେ ଏପର୍ଯ୍ୟନ୍ତ ୯୭ ଜଣ ଉପଦ୍ରବୀ ଗିରଫ ହୋଇଛନ୍ତି । ଜାଲୋରୀ ଗେଟ ଛକ ନିକଟରେ ବାଲମୁକୁନ୍ଦ ବିସ୍‌ସା ସର୍କିଲରେ ଲାଗିଥିବା ପତାକାକୁ ଓହ୍ଲାଇ ଅନ୍ୟ ଏକ ସଂପ୍ରଦାୟର ପତାକା ଲଗାଇବାକୁ କେନ୍ଦ୍ର କରି ହିଂସା ଦେଖିବାକୁ ମିଳିଥିଲା । ଏହି ହିଂସା ପରେ ଜୋନ୍ ଆୟୁକ୍ତଙ୍କ ଆଦେଶରେ ଯୋଧପୁର ଜିଲ୍ଲାରେ ଇଣ୍ଟରନେଟ ସେବା ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି । 

ଜାଲୋରୀ ଗେଟ୍‌ରେ ୨ ଦିନ ପୂର୍ବରୁ ଭଗବାନ ପରଶୁରାମ ଜୟନ୍ତୀ ଅବସରରେ ଏକ ଗୋଷ୍ଠୀର ଲୋକେ ପତାକା ଲଗାଇଥିଲେ । ମେ’ ୨ ତାରିଖ ସନ୍ଧ୍ୟାରେ ପ୍ରଶାସନର ବୈଠକରେ ନିର୍ଦ୍ଧାରିତ ହୋଇଥିଲା ଯେ, ମେ’ ୩ ତାରିଖରେ ଈଦ୍ ପର୍ବ ପାଳନ ହେବ ଏବଂ ପ୍ରତିବର୍ଷ ଭଳି ଏଥର ମଧ୍ୟ ପାଳନ ହେବ । ମୁସଲମାନମାନେ ପ୍ରତିବର୍ଷ ଭଳି ପତାକା ଓ ଲାଉଡସ୍ପିକର ଲଗାଇବେ । ଏହି ଅନୁମତି ଗୋଟିଏ ଦିନ ପାଇଁ ଥିଲା । କିନ୍ତୁ ସୋମବାର ରାତିରେ ସହରରେ ଏକ ଗୁଜବ ସୃଷ୍ଟି ହୋଇଥିଲା ଯେ, ପାକିସ୍ତାନର ପତାକା ଲଗାଯାଉଛି । ରାତି ୨ଟାରେ ଘରୋଇ ଟିଭି ଚ୍ୟାନେଲର ୨ ଜଣ ସାମ୍ବାଦିକ ମେୟର ବିନିତା ସେଠଙ୍କୁ ଫୋନ୍ କରିଥିଲେ ଯେ, ସ୍ୱାଧୀନତା ସଂଗ୍ରାମୀଙ୍କ ମୂର୍ତ୍ତିରେ ଏକ ସଂପ୍ରଦାୟର ଲୋକେ କଳା ଟ୍ୟାପ୍ ଲଗାଇଛନ୍ତି ।