ବିଶ୍ୱ କୁଷ୍ଠ ନିରାକରଣ ଦିବସ : ରାଜ୍ୟରେ ଅବହେଳିତ ଅବସ୍ଥାରେ କୁଷ୍ଠ ରୋଗୀ
ମେଟ୍ରୋ ଟିଭି ଓଡିଶା,୩୦/୧ : ଆଜି ବିଶ୍ୱ କୁଷ୍ଠ ନିରାକରଣ ଦିବସ । ଏହି ଅବସରରେ ସାରା ବିଶ୍ୱରେ ଏହି ରୋଗକୁ ନେଇ ସଚେତନା କରାଯାଉଥିବା ଜଣାପଡିଛି । ଏଭଳି ସ୍ଥଳେ ଏମ୍ଡିଟି ଖାଆନ୍ତୁ କୁଷ୍ଠ ହଟାନ୍ତୁ । କୁଷ୍ଠ ହଟିନି କିନ୍ତୁ ଅବ୍ୟବସ୍ଥା ବଢିଛି । ହେଲେ ଅନେକ ସ୍ଥାନରେ ଏବେବି କୁଷ୍ଠ ରୋଗୀ ଅବହେଳିତ ଅବସ୍ଥାରେ ରହିଛନ୍ତି। କିଏ ରାସ୍ତାକଡରେ ଭିକ୍ଷାବୃତ୍ତି କରୁଛି ତ ଆଉ କିଏ ଅପରିତ୍ୟକ୍ତ ଅବସ୍ଥାରେ ରହୁଛନ୍ତି । କୋଷେ ଦୂରରୁ ଥାଇ କୁଷ୍ଠ ରୋଗୀଙ୍କୁ ପରାମର୍ଶ ଦିଆଯାଉଥିବାବେଳେ ଡ୍ରେସିଂ କରିବା ପାଇଁ ଅମଙ୍ଗ ହେଉଛନ୍ତି କର୍ମୀ ।
ବର୍ତ୍ତମାନ ରାଜ୍ୟରେ କୁଷ୍ଠ ରୋଗର ସ୍ଥିତି ଉଦବେଗଜନକ ରହିଛି। ଗତ ୨୦ ବର୍ଷରେ ରାଜ୍ୟରୁ ୨,୧୫,୩୪୨ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । ଯଦିଓ ଗତ ବର୍ଷ ରୋଗୀଙ୍କ ସଂଖ୍ୟା କମିଛି ତଥାପି ଆବଶ୍ୟକୀୟ ଭିତ୍ତିଭୂମି ଏବଂ ମାନବସମ୍ବଳର ଅଭାବ ରହିଛି। ଯାହାକୁ ନେଇ କୁଷ୍ଠ ନିରାକରଣ ଅଭିଯାନ ଏକ ପ୍ରକାର ବାଟବଣା ହୋଇଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଅନେକ କୁଷ୍ଠାଶ୍ରମ ସଠିକ୍ଭାବେ କାର୍ଯ୍ୟ କରୁ ନଥିବାବେଳେ ଆଉ କିଛି ସ୍ଥାନରେ କୁଷ୍ଠକର୍ମୀଙ୍କ ଅଭାବ ରହିଛି।
ଅନେକ କୁଷ୍ଠାଶ୍ରମରେ ରୋଗୀ କିଭଳି ରହୁଛନ୍ତି ତାହାର ମଧ୍ୟ ତଦାରଖ କରାଯାଉ ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁଷ୍ଠ ନିରାକରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହିତ ସଚେତନତା ଜାରି ରଖିଛନ୍ତି । ଆଶାକର୍ମୀ ଗାଁ ଗାଁରେ ଜନସାଧାରଣଙ୍କୁ କୁଷ୍ଠ ନିରାକରଣ ଉପରେ ସଚେତନ କରୁଥିବାବେଳେ ୨୦୩୦ ସୁଦ୍ଧା ରାଜ୍ୟକୁ କୁଷ୍ଠ ମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ବିଶ୍ବ କୁଷ୍ଠ ନିରାକରଣ ଦିବସ ଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।