ଗରିବ ଦେଶ ପରିବେଶର ବେଶି କ୍ଷତି କରୁଥିବା ଧାରଣା ଭୁଲ

ମେଟ୍ରୋ ଟିଭି ଓଡିଶା (୨୮.୬.୨୦୨୨)

ଭାରତ ଅନେକ ଶତାବ୍ଦୀର ଦାସତ୍ବ ସହ୍ୟ କରିଛି। ବର୍ତ୍ତମାନ ସ୍ବାଧୀନ ଭାରତ ବିଶ୍ବର ଦ୍ରୁତତମ ବିକାଶଶୀଳ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ଯଦିଓ ବିଶ୍ବର ୧୭ ପ୍ରତିଶତ ଲୋକ ଭାରତରେ ବାସ କରନ୍ତି, ତଥାପି ବିଶ୍ବ ଅଙ୍ଗାରକ-ନିର୍ଗମନରେ ଏହାର ଅବଦାନ ମାତ୍ର ୫ ପ୍ରତିଶତ। ଗରିବ ଦେଶମାନେ ପରିବେଶର ବେଶି କ୍ଷତି କରନ୍ତି ବୋଲି ଏକ ଭୁଲ ଧାରଣା ରହିଛି। କିନ୍ତୁ ଭାରତର ୧୦୦୦ ବର୍ଷର ଇତିହାସ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛି। ପ୍ରାଚୀନ ଭାରତ ସମୃଦ୍ଧ ଭାରତ ଥିଲା ବୋଲି ଜର୍ମାନୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି। ଭାରତର ଜଳବାୟୁ ପ୍ରତିବଦ୍ଧତା ଏହାର ପ୍ରଦର୍ଶନରୁ ପ୍ରତିଭାତ ।

ସମ୍ମିଳନୀର ଜଳବାୟୁ, ଶକ୍ତି ଓ ସ୍ବାସ୍ଥ୍ୟ ସତ୍ରରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ୯ ବର୍ଷ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ଉତ୍ସରୁ ଶକ୍ତିସଂଗ୍ରହର ୪୦ ପ୍ରତିଶତ ଲକ୍ଷ୍ୟ ହାସଲ କରିପାରିଛି। ଭାରତରେ କ୍ଳିନ୍ ଏନର୍ଜି (ସବୁଜ ଶକ୍ତି) ପ୍ରଯୁକ୍ତିର ବିକାଶ ଘଟୁଛି ଏବଂ ଜି-୭ ଦେଶଗୁଡ଼ିକ ଭାରତର ଏହି ପ୍ରଚେଷ୍ଟାକୁ ସମର୍ଥନ କରିବେ ବୋଲି ସେ ଆଶା କରନ୍ତି। ଭାରତରେ ସମ୍ପୂର୍ଣ୍ଣ ସୌରଶକ୍ତିରେ ଚାଳିତ ବିମାନବନ୍ଦର ରହିଛି। ଭାରତର ବିଶାଳ ରେଳପଥ ବ୍ୟବସ୍ଥା ଏହି ଦଶନ୍ଧିରେ ନେଟ୍‌ ଜିରୋ (ଶୂନ୍ୟ ଅଙ୍ଗାରକ-ନିର୍ଗମନକାରୀ) ହେବ ବୋଲି ମୋଦୀ କହିଥିଲେ। ଜର୍ମାନ ଚାନ୍‌ସେଲର ଓଲାଫ ସ୍କଲ୍‌ଜ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ। ଏହି ସମ୍ମିଳନୀରେ ଭାରତ ସମେତ ବିଶ୍ବର ୭ ଧନୀ ରାଷ୍ଟ୍ରର ନେତାମାନେ ଉପସ୍ଥିତ ରହି ରୁଷିଆର ୟୁକ୍ରେନ୍ ଆକ୍ରମଣ, ଖାଦ୍ୟ ନିରାପତ୍ତା ଓ ଆତଙ୍କବାଦ-ମୁକାବିଲା ଆଦି ସାମ୍ପ୍ରତିକ ବିଶ୍ବ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ରୁଷିଆ କୃଷ୍ଣସାଗରର ୟୁକ୍ରେନୀୟ ବନ୍ଦରଗୁଡ଼ିକରୁ କୃଷିଜାତ ସାମଗ୍ରୀଗୁଡ଼ିକର ଅବାଧ ରପ୍ତାନି ଲାଗି ଅନୁମତି ଦେଉ ବୋଲି ଜି-୭ ନେତାମାନେ ମତ ଦେଇଛନ୍ତି। ୨୦୨୨ରେ ୟୁକ୍ରେନ୍‌କୁ ୨୯.୫ ନିୟୁତ ଡଲାର ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ ଦିଆଯିବା ଲାଗି ଘୋଷଣା କରାଯାଇଥିଲା।