ଚାଇନାର ବିସ୍ତାରବାଦୀ ନୀତିକୁ ଆମେରିକା ପସନ୍ଦ କରୁନାହିଁ । ତାଇଓ୍ବାନକୁ ଜୋର ଜବରଦସ୍ତ ଦଖଲ କରିବାକୁ ଚାଇନା ଚାହୁଁଥିବା ବେଳେ ଆମେରିକା ଏଥିରେ ବଡ଼ ପ୍ରତିବନ୍ଧକ ସାଜିଛି । ଆଉ ଏପରି ସ୍ଥିତିରେ ତାଇଓ୍ବାନ ମଧ୍ୟ ଚୀନର ଧମକକୁ ଖାତିର କରୁନାହିଁ । ତାଇଓ୍ବାନ ଚାହୁଁଛି ତାହାର ସ୍ବାଧୀନତାରେ ଚୀନ ହସ୍ତକ୍ଷେପ ନକରୁ । ଏଭଳି ପରିସ୍ଥିତିରେ ଆମେରିକା ତାଇଓ୍ବାନକୁ ବଳ ଯୋଗାଇବାକୁ ନିଜ ସଂସଦର ବାଚସ୍ପତି ନାନସି ପେଲୋସି ଙ୍କୁ ତାଇଓ୍ବାନ ପଠାଇଥିଲା । ଆଉ ତାପରେ ଏବେ ଚୀନ ରାଗରେ ନାଲି । ଯେ କୈାଣସି ମୁହୁର୍ତ୍ତରେ ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଚୀନ ସୁଯୋଗ ଖୋଜୁଛି । ଏହା ସହ ତାଇଓ୍ବାନ ସୀମାନେ ଯୁଦ୍ଧ ଅଭ୍ୟାସ କରି ତାଇଓ୍ବାନକୁ ଡରାଉଛି । ଏହାରି ଭିତରେ ଆମେରିକା ଚୀନକୁ ରୋକଠୋକ ଭାବେ କହିଛି ଯେ ଯଦି ଚୀନ ତାଇଓ୍ବାନ ଉପରେ ବଳ ପ୍ରୟୋଗ କରେ ତେବେ ଚୀନକୁ ଉଚିତ ଶାସ୍ତି ଦିଆଯିବ ।
ତାଇଓ୍ବାନକୁ ନେଇ ଚୀନ ଏବଂ ଆମେରିକା ଭିତରେ ଯେପରି ବାକ୍ ଯୁଦ୍ଧ ଚାଲିଛି ଆଗକୁ ଏହା ଭୟଙ୍କର ସ୍ଥିତି ଉପୁଜାଇପାରେ । କାରଣ ଋଷ -ୟୁକ୍ରେନ ଯୁଦ୍ଧ ପରେ ପୁଣି ବିଶ୍ବ ଆଉ ଏକ ଯୁଦ୍ଧ ଦେଖିପାରେ । ତେବେ ଏହା ଭୟଙ୍କର ଯୁଦ୍ଧ ହୋଇପାରେ । ତେଣୁ ବିଶେଷଜ୍ଞମାନେ କହୁଛନ୍ତି ଯଦି ଚୀନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ହୁଏ ସାରା ବିଶ୍ବ କ୍ଷତିଗ୍ରସ୍ତ ହେବ । କାରଣ ଏହା ଦୁଇ ଦେଶ ଭିତରେ ଯୁଦ୍ଧ ହୋଇ ରହିବ ନାହିଁ ବିଶ୍ବ ଯୁଦ୍ଧ ହୋଇପାରେ । ଆମେରିକା ସପକ୍ଷରେ ମିତ୍ର ଦେଶମାନେ ଚୀନକୁ ମୁହଁତୋଡା ଜବାବ ଦେବାପାଇଁ ମଉକା ଖୋଜୁଥିବା ବେଳେ ଚୀନକୁ ସମସ୍ତ ପ୍ରକାର ସାହାଯ୍ୟ କରିବା ପାଇଁ ଋଷ ମଧ୍ୟ ପ୍ରତିଶ୍ରୁତି ଦେଇଛି । ତେଣୁ କୁହାଯାଇପାରେ ଯେ ଏବେ ଯୁଦ୍ଧ ମୁହାଁ ବିଶ୍ବ ହୋଇଛି ।
ତାଇଓ୍ୱାନରେ ଆମେରିକା ବାଚସ୍ପତି ନାନସି ପେଲୋସି ପହଞ୍ଚି ଆଲୋଚନା କରି ଯିବା ପରେ ଚୀନ ତାଇଓ୍ବାନ ସୀମାରେ ଯୁଦ୍ଧ ପରିସ୍ଥିତି ତିଆର କରିଛି । ଯୁଦ୍ଧ ବିମାନ ଗତ ସାତ ଦିନ ଧରି ତାଇଓ୍ବାନ ସୀମାରେ ଉଡୁଛି । ଏପରିକି କିଛି ମିଶାଇଲ ତାଇଓ୍ବାନ ସୀମା ଏବଂ ଜାପନ ସୀମାକୁ ମାଡ କରିଛି ଚୀନ । ଯଦି ମିଶାଇଲ ତାଇଓ୍ବାନ ସୀମା ଟପେ ତେବେ ଯୁଦ୍ଧ ଆରମ୍ଭ ହୋଇଯିବା ଥୟ । ତେଣୁ କୁହାଯାଉଛି ଏବେ ଆଉ ଏକ ଯୁଦ୍ଧର କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ବାରମ୍ବାର ମିଲିଟାରୀ ଅପରେସନ କରିବା ପାଇଁ ଧମକ ଦେଉଛି ଚୀନ୍ ।
ସେପଟେ ତାଇଓ୍ୱାନରେ ଲେବଲ ୨ ସୁରକ୍ଷା ବ୍ୟବସ୍ଥାକୁ ଆଲର୍ଟ କରାଯାଇଛି । ତାଇଓ୍ୱାନ ସୀମାରେ ଚୀନ୍ ଟ୍ୟାଙ୍କ ଆଣି ମୁତୟନ କରିଥିବା ବେଳେ ଆମେରିକା ମଧ୍ୟ ଲଢ଼ୁଆ ବିମାନକୁ ତୟାର କରି ଆଲର୍ଟରେ ରହିଛି । ଋଷ୍ ୟୁକ୍ରେନ୍ ଯୁଦ୍ଧ ସମାପ୍ତ ହୋଇନଥିବା ବେଳେ ଚୀନ୍ ଓ ତାଇଓ୍ୱାନ ଯୁଦ୍ଧ ଦେଖିବାକୁ ଯାଉଛି ସାରା ବିଶ୍ୱ । ଆଗକୁ କିଛି ଅଘଟଣ ଘଟିଲେ ଆମେରିକା ଦାୟୀ ରହିବ ବୋଲି ଚୀନ୍ କହିଛି । ସେପଟେ ଆମେରିକା କହିଛି ଯଦି ତାଇଓ୍ବାନର କିଛି କ୍ଷତି ଘଟେ ତେବେ ଯୁଦ୍ଧ ପାଇଁ ଚୀନ ହିଁ ଦାୟୀ ରହିବ ।
ତାଇଓ୍ୱାନ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗତ ୩୦ ତାରିଖରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଚେତାବନୀ ଦେଇଥିଲା । ଏହା ସତ୍ତ୍ୱେ ଜୋ ବାଇଡେନ ପେଲୋସିଙ୍କୁ ତାଇଓ୍ୱାନ ପଠାଇଥିଲେ । ବିଗତ ୨୫ ବର୍ଷ ମଧ୍ୟରେ ତାଇଓ୍ୱାନ ଗସ୍ତରେ ଯିବାରେ ପ୍ରଥମ ଉଚ୍ଚ ପଦସ୍ତ ବ୍ୟକ୍ତି ହେଉଛନ୍ତି ହେଉଛନ୍ତି ନାନସି । ଚୀନ ବିବାଦ ପରିପ୍ରେକ୍ଷୀରେ ତାଇଓ୍ୱାନ ସମୁଦ୍ରରେ ସମରାଭ୍ୟାସ ଆରମ୍ଭ କରିଦେଇଥିବାରୁ କୈାଣସି ମୁହୁର୍ତ୍ତରେ ବିଶ୍ବ ପୁଣି ଏକ ବିରାଟ ଯୁଦ୍ଧ ଦେଖିପାରେ ।
ଏଠାରେ ସୂଚନାଯୋଗ୍ୟ ଯେ ଚୀନ ଓ ତାଇଓ୍ବାନ ମଧ୍ୟରେ ଅନେକ ଦିନରୁ ବିବାଦ ଲାଗି ରହିଛି । ତାଇୱାନକୁ ନିଜର ବୋଲି ଦାବି କରୁଛି ଚୀନ । କିନ୍ତୁ ତାଇୱାନ ଏହାକୁ ଗ୍ରହଣ କରୁନାହିଁ, ନିଜକୁ ସ୍ୱତନ୍ତ୍ର ଦେଶ ବୋଲି ମାନୁଛି । ଯାହାକୁ କି ଆମେରିକା ସମର୍ଥନ କରୁଛି । ଦୁଇଦେଶ ମଧ୍ୟରେ ବିବାଦ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଲାଗିରହିଛି । ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ତାଇୱାନରେ ନିଜର ସମ୍ବିଧାନ ଓ ସରକାର ରହିଛି । ଚାଇନା ଆଇନ ମାନୁନାହିଁ ତାଇଓ୍ବାନ ।
ଦେଖିବାକୁ ଗଲେ ଦକ୍ଷିଣ-ପୂର୍ବ ଚୀନ ଉପକୂଳରୁ ଶହେ ମାଇଲ ଦୂରରେ ତାଇୱାନ ଦ୍ବୀପ ସମୁଦ୍ର ମଧ୍ୟରେ ରହିଛି । ଚୀନ ଭୟରେ ବହୁ ଦେଶ ତାଇଓ୍ବାନକୁ ମାନ୍ୟତା ଦେଇନଥିବା ବେଳେ ବିଶ୍ୱର କେବଳ ୧୩ଟି ଦେଶ ତାଇୱାନକୁ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇଛନ୍ତି । ସବୁଠୁ ବଡ଼ କଥା ହେଲା । ଚାଇନାର ସମସ୍ତ ଶକ୍ତି ଥିଲେ ମଧ୍ୟ ଏହି ଦେଶ ତାଇଓ୍ବାନକୁ ନିଜର କରିପାରୁନାହିଁ । କାରଣ ସର୍ବଦା ଆମେରିକା ତାଇୱାନ ସହିତ ଛିଡା ହୋଇଛି । ସବୁ ସ୍ତରରେ ତାଇୱାନକୁ ସମର୍ଥନ ଯୋଗାଇ ଦେଉଛି ଆମେରିକା । ଯେତେବେଳେ ସୁରକ୍ଷା ପ୍ରସଙ୍ଗ ଆସୁଛି ତାଇୱାନ ସହିତ ରହିଛି ଆମେରିକା । ୪୩ ବର୍ଷ ହେଲା ତାଇୱାନ ସହ ଆମେରିକା ରହିଥିବାରୁ ଚାଇନା ତାଇଓ୍ବାନର କିଛି କ୍ଷତି ଘଟାଇପାରୁନାହିଁ ।
ତେବେ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ତାଇଓ୍ବାନକୁ ଚେତାବନୀ ଦେଉଛି । ଗତ ଦୁଇ ବର୍ଷ ହେଲା ଚୀନର ଯୁଦ୍ଧ ବିମାନ ନିୟମିତଭାବେ ତାଇଓ୍ବାନ ବାୟୁସୀମା ଅତିକ୍ରମ କରିବା ପରେ ପୁଣି ଏକ ଯୁଦ୍ଧ ଆଶଙ୍କା ବଢିଯାଇଛି ।
ଇତିହାସକୁ ଦେଖିଲେ 1895 ମସିହାରେ, ପ୍ରଥମ ଚାଇନା-ଜାପାନ ଯୁଦ୍ଧରେ ଚୀନ୍ର ପରାଜୟ ପରେ ଚାଇନା, ତାଇୱାନକୁ ଜାପାନକୁ ଦେଇଥିଲା। ତେବେ ପୁଣିଥରେ, 1945 ମସିହାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ପରାଜୟ ପରେ ତାଇୱାନ ଉପରେ ନିୟନ୍ତ୍ରଣ ଆଣିଥିଲା ଚୀନ୍ । ଏହା ପରେ 1949 ମସିହାରେ କମ୍ୟୁନିଷ୍ଟ ପାର୍ଟି ଯୁଦ୍ଧରେ ବିଜୟୀ ହୋଇ ବେଜିଂକୁ ନିୟନ୍ତ୍ରଣ କରିଥିଲା। ସେ ସମୟର ପରାଜିତ ଦଳ ଚିଆଙ୍ଗ କେ-ଶେକ୍ ଏବଂ କୁଓମିଣ୍ଟାଙ୍ଗ ନାମକ ଜାତୀୟତାବାଦୀ ଦଳ ପରାସ୍ତ ହୋଇ ଏହାର ନେତାମାନେ ତାଇୱାନକୁ ଚାଲିଗଲେ। ସେମାନେ ଅନେକ ଦଶନ୍ଧି ଧରି ତାଇଓ୍ବାନ ଦ୍ୱୀପକୁ ଶାସନ କରିଥିଲେ । ତେଣୁ ତାଙ୍କ ବଂଶଧରମାନେ ତାଇଓ୍ବାନକୁ ଚୀନକୁ ଦେବାକୁ ଚାହୁଁନାହାଁନ୍ତି ।
ସେପଟେ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଶକ୍ତି କେନ୍ଦ୍ର ହେଉଛି ତାଇଓ୍ବାନ । ତେଣୁ ଜାପାନ ଏବଂ ଆମେରିକାର ଶକ୍ତିକୁ ଚ୍ୟାଲେଂଜ କରିବା ପାଇଁ ଚୀନ ତାଇଓ୍ବାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି । ସେପଟେ ଆମେରିକା ମଧ୍ୟ ଏହି ଅଂଚଳକୁ ଚୀନକୁ ଦେବାକୁ ସୁଯୋଗ ଦେଉନାହିଁ । ତେବେ ଚୀନ୍ ଆମେରିକାର ସାମରିକ ବେସ ଏହି ଅଂଚଳକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି । 2002 ରେ, ତାଇୱାନ ଖୋଲାଖୋଲି ଭାବେ ନିଜକୁ ସ୍ବାଧୀନ ଦେଶ ଦାବି କରିବାରୁ ପୁଣି ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।
2016 ରେ, ତାଇୱାନର ବର୍ତ୍ତମାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ନିର୍ବାଚିତ ହୋଇଥିଲେ। ଶ୍ରୀମତୀ ତାଇ 2020ରୁ ଚୀନର ଧମକକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି ଏବଂ ଆମେରିକା ସହ ଅଧିକ ବୈଦେଶିକ ସଂପର୍କ ବୃଦ୍ଧି କରିବାରେ ଲାଗିଛନ୍ତି । ଯାହାକୁ ଚୀନ ସହଜରେ ଗ୍ରହଣ କରିପାରୁନାହିଁ । ଚୀନ ରାଷ୍ଟ୍ରପତିଙ୍କ ଧମକକୁ ତାଇଓ୍ବାନ ଖାତିର କରୁନଥିବାରୁ ଆଗାମୀ ଦିନରେ ଯୁଦ୍ଧ ଅବଶ୍ୟମ୍ଭାବୀ ହୋଇପଡିଛି । ଯେଉଁଥି ପାଇଁ କୁହାଯାଉଛି ଯେ ତାଇଓ୍ବାନକୁ ନେଇ ଚୀନ ଏବଂ ଆମେରିକା ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି ଏବଂ ଯୁଦ୍ଧ ମୁହାଁ ବିଶ୍ବ ଏବେ ହୋଇଯାଇଛି । ତେବେ ଯୁଦ୍ଧ କେବେ ହେବ ତାହା ସମୟ କହିବ ।