ବ୍ୟକ୍ତିଗତ ଯାତାୟାତ ପାଇଁ କାର୍ ଓ ବାଇକ୍ ରାସ୍ତାକୁ କବ୍ଜା କରି ନେଇଛନ୍ତି। ତାହାରି ଭିତରେ କିଛି ହାତଗଣତି ସାଇକେଲ ଗଡ଼ୁଛି ସତ, କିନ୍ତୁ ତାହା ଯାତାୟାତର ଜରୁରୀ ମାଧ୍ୟମ ହୋଇ ରହିନାହିଁ। ସ୍ବାସ୍ଥ୍ୟ ସଚେତନ ଲୋକେ ଫିଟ୍ନେସ୍ ଓ ପରିବେଶ ସୁରକ୍ଷାକୁ ନଜରରେ ରଖି ସାଇକେଲ ବ୍ୟବହାର କରୁଛନ୍ତି। ଗତ କିଛି ବର୍ଷ ହେଲା ସାଇକେଲ ମାନିଆ ଦେଖାଦେଇଛି। ସକାଳୁ ସକାଳୁ ରାଜଧାନୀର ବହୁ ରାସ୍ତାରେ ଲୋକମାନେ ସାଇକେଲ ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ସେଲିବ୍ରେଟି, ରାଜନେତା ଓ ବହୁ ଉଚ୍ଚପଦସ୍ଥ ଅଧିକାରୀ ନିୟମିତ ସାଇକେଲ ଚଳାଇବାର ଦେଖିବାକୁ ମିଳୁଛି। ସହରର ବିଭିନ୍ନ ସ୍ଥାନରେ ସାଇକେଲ କ୍ଲବ୍ମାନ ମଧ୍ୟ ଗଠନ ହେଲାଣି।
ରାଜଧାନୀବାସୀଙ୍କର ସାଇକେଲ ଚଳାଇବା ପ୍ରତି ଆଗ୍ରହ ଦେଖି ସହରରେ ବିଭିନ୍ନ ସାଇକେଲ ଦୋକାନ ଖୋଲିବାରେ ଲାଗିଛି। ୫ହଜାର ଟଙ୍କାରୁ ଆରମ୍ଭ କରି ସାଢ଼େ ୮ଲକ୍ଷ ଟଙ୍କାର ସାଇକେଲ୍ ବଜାରରେ ଉପଲବ୍ଧ ହେଉଛି। ହିରୋ, ବିଏସ୍ଏ, ଟାଟା, ଫାୟାର ଫକ୍ସ, ନାଇନ୍ ୱାନ୍, ରାଲେ, ହରକୁଲେସ୍ ଆଦି ବ୍ରାଣ୍ଡର ସାଇକେଲ୍ ୫ହଜାରରୁ ନେଇ ୨୫ ହଜାର ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି ସ୍କୁଟ୍, ଟ୍ରେକ୍, ଜେଣ୍ଟ, ମେରିଡା, ପଲିଗନ୍, ଜାଭା ଆଦି ସାଇକେଲର ଦାମ୍ ୫୦ ହଜାରରୁ ନେଇ ୮ଲକ୍ଷଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ଲୁଇସ୍ ରୋଡ୍ରେ ଥିବା ‘ସାଇକେଲ୍ ଇନ୍ ସିଟିର’ର ବ୍ୟବସାୟୀ ବାରିଶ ଖାନ୍ କହିଛନ୍ତି। ଲୋକଙ୍କ ସାଇକେଲ୍ ପ୍ରତି ଆଗ୍ରହ ବଢ଼ୁଥିବାବେଳେ ବିଏମ୍ସି ପକ୍ଷରୁ ଯୋଜନାବଦ୍ଧ ଭାବେ ପ୍ରୋତ୍ସାହନ ଦେବାପାଇଁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି।ସହର ମଧ୍ୟରେ ଲୋକଙ୍କ ଯାତାୟାତ ପାଇଁ ‘ମୋ ସାଇକେଲ୍’ ଯୋଜନା ଆରମ୍ଭ ହୋଇଥିଲା। ସ୍ମାର୍ଟସିଟିରେ ଏହି ଯୋଜନାଟି କିଛିଦିନ ବ୍ୟବସ୍ଥିତ ଢଙ୍ଗରେ ଚାଲିଲା। ତା’ପରେ ତାହା କେଉଁଠି ପଡ଼ିଲା ତା’ର ଠିକଣା କେହି ପାଇଲେ ନାହିଁ। ମୋ ସାଇକେଲର ଷ୍ଟାଣ୍ଡ ଗୁଡ଼ିକ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ରହିଲା। ସପ୍ତାହକୁ ଥରେ ବିଏମ୍ସିର ସବୁ କର୍ମଚାରୀ ସାଇକେଲରେ ଅଫିସ୍ ଆସିବେ ବୋଲି ୨୦୧୯ ମସିହାରେ କର୍ତ୍ତୃପକ୍ଷ ଏକ ନିୟମ କରିଥିଲେ। ନିର୍ଦ୍ଦେଶ ଥିଲା ସହରବାସୀଙ୍କୁ ସଚେତନ କରିବା ଓ ପରିବେଶ ପ୍ରଦୂଷଣ କମ୍ କରିବା। ପ୍ରଥମେ କିଛି ସପ୍ତାହ ଠିକ୍ ଚାଲିଲା ତା’ପରେ ଏହି ନିୟମକୁ ବିଏମ୍ସି କର୍ମଚାରୀ ଫୁ’ କରିଦେଲେ। କର୍ତ୍ତୃପକ୍ଷ ମଧ୍ୟ ନିରବ ରହିଗଲେ। ଏବେ ସେହି ସାଇକେଲ ସବୁ ପୁରୁଣା ବିଏମ୍ସି କାର୍ଯ୍ୟାଳୟରେ ଖତ ଖାଉଛି।