ସ୍କୁଲ୍‌ ଉପରେ ଆକ୍ରମଣ -୪୦ ମୃତ

ଇସ୍ରାଏଲ ସେନାବାହିନୀ ଗୁରୁବାର ଗାଜାରେ ଜାତିସଂଘ ପରିଚାଳିତ ଏକ ସ୍କୁଲ୍‌ ଉପରେ ଆକ୍ରମଣ କରିଛି। ଫଳରେ ଏହି ସ୍କୁଲ୍‌ରେ ଆଶ୍ରୟ ନେଇଥିବା‌ ୪୦ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। କିନ୍ତୁ ଇସ୍ରାଏଲ ସେନା କହିଛି, ଏହି ସ୍କୁଲ୍‌ ଦୀର୍ଘ ଦିନ ଧରି ହମାସର ଆଡ଼ାରେ ପରିଣତ ହୋଇଥିଲା ଏବଂ ଆକ୍ରମଣ ସମୟରେ ସେଠାରେ ଆତଙ୍କବାଦୀମାନେ ଥିଲେ। ଗତ ଅକ୍ଟୋବର ୭ ତାରିଖରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା କିଛି ଆତଙ୍କବାଦୀଙ୍କର ଏହି ଆକ୍ରମଣରେ ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ ଦାବି କରିଛି। ଗାଜା ଗଣମା‌ଧ୍ୟମ ଅନୁଯାୟୀ ସ୍କୁଲ୍‌ରେ ଆଶ୍ରୟ ନେଇଥିବା ୪୦ ଜଣ ସାଧାରଣ ଲୋକଙ୍କର ଇସ୍ରାଏଲ ଆକ୍ରମଣ‌ରେ ମୃତ୍ୟୁ ହୋଇଛି। କେନ୍ଦ୍ରୀୟ ଗାଜାର ନୁସେରାଟରେ ଥିବା ଜାତିସଂଘ ସ୍କୁଲ୍‌ରେ ଇସ୍ରାଏଲ ଆକ୍ରମଣ କରିଛି ବୋଲି ହମାସ ପରିଚାଳିତ ଗଣମାଧ୍ୟମ ନିର୍ଦ୍ଦେଶକ ଇଓମେଲ ଅଲ ଥାୱାବତ କହିଛନ୍ତି। ଇସ୍ରାଏଲ ସେନା ନରସଂହାର କରିଛି ବୋଲି ସେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୮ ମାସ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଲାଗି ରହିଛି।