ରୁଷ-ୟୁକ୍ରେନ ଯୁଦ୍ଧ,ଯିଏ ଯେଉଁଠି ଅଛ ସେଇଠି ରୁହ: ଭାରତୀୟ ଦୂତାବାସ
ମେଟ୍ରୋ ଟିଭି ଓଡିଶା (୨୪.୨.୨୦୨୨) :
ଆରମ୍ଭ ହୋଇ ସାରିଛି ରୁଷ-ୟୁକ୍ରେନ ଯୁଦ୍ଧ। ରୁଷ ଆକ୍ରମଣରେ ୟୁକ୍ରେନରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ମୃତାହତ ନେଇ ୟୁକ୍ରେନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏହାସହ ଇତି ମଧ୍ୟରେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦେଇଛି କିଭ୍ ସ୍ଥିତ ଭାରତୀୟ ଦୂତାବାସ। ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ। ଶାନ୍ତ ଓ ସୁରକ୍ଷିତ ରୁହନ୍ତୁ। ଘର, ହଷ୍ଟେଲ, ଅସ୍ଥାୟୀ ଶିବିର ଯିଏ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ ବୋଲି କହିଛି ଦୂତାବାସ।

ଦୂତାବାସ କହିଛି, କିଭ୍ ଅଭିମୁଖେ ଆସୁଥିବା ଲୋକ ସାମୟିକ ଭାବେ ନିଜ ନିଜ ସହରକୁ ଫେରି ଯାଆନ୍ତୁ ବୋଲି ପରାମର୍ଶ ଦିଆଯାଇଛି। ଆଗକୁ ଅପଡେଟ୍ ପାଇଁ ପୁଣି ନିର୍ଦେଶନାମା ଜାରି କରାଯିବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ଭାରତ ଫେରିଆସିବାକୁ ବାରମ୍ବାର ନିବେଦନ କରିଥିଲା। ୟୁକ୍ରେନ ସ୍ଥିତି ଦେଖି ଦୂତାବାସ ଏପର୍ଯ୍ୟନ୍ତ ଅନେକ ପରାମର୍ଶ ଜାରି କରିସାରିଛି। ଏୟାର ଇଣ୍ଡିଆର ସ୍ଵତନ୍ତ୍ର ବିମାନରେ ଅନେକ ଭାରତୀୟଙ୍କୁ ସ୍ଵଦେଶ ଅଣାଯାଇଛି, କିନ୍ତୁ ଆହୁରି ଅନେକ ଭାରତୀୟ ଏବେ ୟୁକ୍ରେନରେ ଅଛନ୍ତି। ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ବିଦାର୍ଥୀ ଥିବା କୁହାଯାଉଛି।