ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସହ ଭର୍ଚ୍ୟୁଆଲ ବୈଠକରେ କଥା ହେଲେ ପ୍ରଧାନମନ୍ତ୍ରୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ମୋଦି ଜୋ ବାଇଡେନଙ୍କୁ କହିଛନ୍ତି ‘ଗତବର୍ଷ ସେପ୍ଟେମ୍ବରରେ ମୋର ୱାଶିଂଟନ ଗସ୍ତ ବେଳେ ଆପଣ କହିଥିଲେ ଯେ, ଭାରତ-ଆମେରିକା ଭାଗିଦାରୀ ବହୁ ବୈଶିକ ସମସ୍ୟା ସମାଧାନରେ ସହଯୋଗ କରିପାରିବ । ମୁଁ ଆପଣଙ୍କ ସହ ସମ୍ପୂର୍ଣ୍ଣ ଏକମତ । ବିଶ୍ୱର ଦୁଇ ବୃହତ୍ତମ ଏବଂ ପୁରୁଣା ଗଣତନ୍ତ୍ର ଭାବେ ଆମେ ସ୍ୱାଭାବିକ ଅଂଶୀଦାର । ଗତ କିଛି ବର୍ଷ ମଧ୍ୟରେ ଆମ ସମ୍ପର୍କ ଯେପରି ଆଗେଇଛି, ଯେଉଁ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି, ବୋଧହୁଏ ତାହା ଆଜିଠାରୁ ଏକ ଦଶନ୍ଧି ପୂର୍ବରୁ ଅକଳ୍ପନୀୟ ଥିଲା ’।

’ଆମ ଆଜିର ଆଲୋଚନା ଏପରି ସମୟରେ ହେଉଛି ଯେତେବେଳେ ୟୁକ୍ରେନ ସ୍ଥିତି ବେଶ ଚିନ୍ତାଜନକ ରହିଛି । କିଛି ସପ୍ତାହ ପୂର୍ବ ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନରେ ଫସି ରହିଥିଲେ । ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବ ଛାତ୍ର ଥିଲେ । ବହୁ ଉଦ୍ୟମ ପରେ ଆମେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବାରେ ସଫଳ ହେଲୁ, ଯଦିଓ ଜଣେ ଛାତ୍ର ପ୍ରାଣ ହରାଇଲେ । ଏହି ଘଟଣାକ୍ରମ ମଧ୍ୟରେ ମୁଁ ଅନେକ ଥର ୟୁକ୍ରେନ ଓ ଋଷିଆ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲି । ମୁଁ ସେମାନଙ୍କୁ କେବଳ ଶାନ୍ତି ପାଇଁ ଅପିଲ କରିନଥିଲି ବରଂ ରାଷ୍ଟ୍ରପତି ପୁଟିନ ପ୍ରତ୍ୟକ୍ଷ ଭାବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲି । ୟୁକ୍ରେନ ପ୍ରସଙ୍ଗ ଆମ ସଂସଦରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।

ନିକଟରେ ମିଳିଥିବା ବୁଚା ସହରରେ ନୀରିହ ଜନସାଧାରଣଙ୍କ ହତ୍ୟା ଖବର ବେଶ ଚିନ୍ତାଜନକ । ଆମେ ଏହାକୁ ତତକ୍ଷଣାତ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛୁ । ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ ବୋଲି ଆମେ ଆଶାବାଦୀ‘ ।

ୟୁକ୍ରେନର ସାଧାରଣ ନାଗରିକଙ୍କ ସୁରକ୍ଷା ଓ ମାନବୀୟ ସହାୟତାର ଯୋଗାଣ ଶୃଙ୍ଖଳକୁ ଅତୁଟ ରଖିବାକୁ ଆମେ ଗୁରୁତ୍ୱ ପ୍ରଦାନ କରିଛୁ । ଏ ସମ୍ପର୍କରେ ଆପଣ ପ୍ରାରମ୍ଭରୁ ଉଲ୍ଲେଖ କରିଛନ୍ତି । ଆମେ ୟୁକ୍ରେନ ଓ ଏହାର ପଡୋଶୀ ଦେଶଗୁଡିକୁ ଔଷଧ ଓ ଅନ୍ୟ ରିଲିଫ ସାମଗ୍ରୀ ପଠାଇଛୁ । ଏବଂ ୟୁକ୍ରେନର ଦାବି ଅନୁଯାୟୀ ଆହୁରି ଔଷଧ ଆମେ ଶୀଘ୍ର ପଠାଇବୁ ।

କାର୍ଯ୍ୟକାଳ ପ୍ରାରମ୍ଭରେ ଆପଣ ଖୁବ ଗୁରୁତ୍ୱପୂର୍ଣ୍ଣ ସ୍ଲୋଗାନ ଦେଇଥିଲେ- ଗଣତନ୍ତ୍ରରେ ହିଁ ସମ୍ଭବ । ଭାରତ ଓ ଆମେରିକା ଭାଗିଦାରୀର ସଫଳତା ଏହି ସ୍ଲୋଗାନକୁ ବୁଝିବାର ସବୁଠାରୁ ଭଲ ମାଧ୍ୟମ ।  

ଚଳିତ ବର୍ଷ ଭାରତ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଛି । ଏବଂ ଆମେ ଆମ କୂଟନୈତିକ ସମ୍ପର୍କର ୭୫ ବର୍ଷ ପାଳନ କରୁଛେ । ମୋର ବିଶ୍ୱାସ ଯେ ଯୁକ୍ତରାଷ୍ଟ୍ର ଆମେରିକା ସହ ବନ୍ଧୁତ୍ୱ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତର ବିକାଶ ଯାତ୍ରାର ଅଭିନ୍ନ ଅଙ୍ଗ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି