ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେବେ । ଆସନ୍ତାକାଲି ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗୋଟାବାୟ । ରାଷ୍ଟ୍ରପତି ଇସ୍ତଫା ଦେଲେ ଶ୍ରୀଲଙ୍କା ଲୋକଙ୍କ ରାଗ ଶାନ୍ତ ହୋଇପାରେ ବୋଲି ଆଶା କରାଯାଉଛି । ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ପରେ ଶ୍ରୀଲଙ୍କାରେ ଉପୁଜିଥିବା ହିଂସାତ୍ମକ ପରିସ୍ଥିତିରେ ପରିବର୍ତ୍ତନ ଆସିପାରେ ବୋଲି ସେଠାକାର ସେନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି
ଶ୍ରୀଲଙ୍କାରେ ସରକାର ବିରୋଧୀ ସ୍ବର ରାଜରାସ୍ତାରୁ ଆସି ରାଷ୍ଟ୍ରପତି ଭବନରେ ପହଁଚିଛି । ରାଷ୍ଟ୍ରପତି କୁଆଡ଼େ ଲୁଚିକି ଅଛନ୍ତି । ସାଧାରଣ ଲୋକେ ରାଷ୍ଟ୍ରପତି ଭବନରେ ପଶି ତାମସା କରୁଛନ୍ତି । ଶ୍ରୀଲଙ୍କା ପୁଲିସ ଏବଂ ସେନା ନିଜ ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନାହିଁ । ସରକାରୀ ବିରୋଧୀ ଲୋକମାନେ ଦାବି କରୁଛନ୍ତି ରାଷ୍ଟ୍ରପତି ଇସ୍ତଫା ଦିଅନ୍ତୁ । ତେବେ ଲୋକଙ୍କ ଦାବି ଆଗରେ ମୁଣ୍ଡ ନୂଆଇଁଛନ୍ତି ଗୋଟାବାୟ । ଆନ୍ଦୋଳନ ଚଳାଇଥିବା ସଂଗଠନଗୁଡ଼ିକର ନେତାମାନେ କହିଛନ୍ତି ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ତାଙ୍କ ପରେ ରାଷ୍ଟ୍ରପତି ଇସ୍ତଫା ଦିଅନ୍ତୁ । ରାଷ୍ଟ୍ରପତି ପଦ ନଛାଡ଼ିବା ପର୍ଯ୍ୟନ୍ତ ସେମାନେ ରାଷ୍ଟ୍ରପତି ଭବନ ଛାଡିବେ ନାହିଁ ।
ସରକାରବିରୋଦୀ ନେତା ଚାହୁଁଛନ୍ତି ପୁଣି ରାଷ୍ଟ୍ରପତି ନିର୍ବାଚନ ହେଉ । ନୂଆ ନେତାଙ୍କୁ ସରକାର ଗଠନ ପାଇଁ ଅନୁମତି ମିଳୁ । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଉତ୍ତରାଧିକାରୀ ଆସନ୍ତା ୨୦ ତାରିଖରେ ନିର୍ବାଚିତ ହେବେ। ଘୋଷଣା ଅନୁଯାୟୀ ରାଷ୍ଟ୍ରପତି ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବେ। ୧୫ ତାରିଖରେ ସଂସଦର ଅଧିବେଶନ ହେବ। ୧୯ ତାରିଖ ସୁଦ୍ଧା ରାଷ୍ଟ୍ରପତି ପଦ ପାଇଁ ମନୋନୟନ ପତ୍ର ଗ୍ରହଣ କରାଯିବ । ଏହା ପରେ ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ନୂଆ ସରକାର ଗଠନ ପାଇଁ ଗୋଟାବାୟ ଓ ଅନ୍ୟ ସବୁ ମନ୍ତ୍ରୀ ଇସ୍ତଫା ଦେବେ ।
ସେପଟେ କାମ ଚଳାଇବା ପାଇଁ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବେ। ଏହାପରେ ୩୦ ଦିନ ଭିତରେ ସଂସଦ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବ। ଗୋଟାବାୟା ରାଜପକ୍ଷଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୪ରେ ଶେଷ ହେଉଛି। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ନବନିଯୁକ୍ତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବଳବତ୍ତର ରହିବ ବୋଲି ଜଣାପଡିଛି ।