ଇରାନର ମିଶାଇଲ ମାଡ଼: ଚେତାବନୀ ଦେଲା ପାକିସ୍ତାନ

ପାକିସ୍ତାନ ଉପରେ ମିଶାଇଲ ମାଡ଼ କରିଛି ଇରାନ । ଇରାନର ମିଶାଇଲ ଓ ଡ୍ରୋନ ଆକ୍ରମଣରେ ପାକିସ୍ତାନେର୨ଟି ନିରୀହ ଶିଶୁଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ନାବାଳିକା ଆହତ ହୋଇଛନ୍ତି । ତେବେ ପାକିସ୍ତାନ ଭଳି ପରମାଣୁ ଶକ୍ତି ସମ୍ପନ୍ନ ଦେଶରେ ପଶି ଇରାନ ମିସାଇଲ ଆକ୍ରମଣ କରିବା ପାକ୍‌ର ସୁରକ୍ଷାକୁ ବିପଦରେ ପକାଇଛି ।

ପାକିସ୍ତାନରେ ପଶି ଘନ ଘନ ମିଶାଇଲ ସାଙ୍ଗକୁ ରକେଟ ମାଡ଼ କଲା ଇରାନ । ମିଜାଇଲ ଓ ଡ୍ରୋନ ଆକ୍ରମଣରେ ଥରି ଉଠିଛି ପାକିସ୍ତାନ । ପାକିସ୍ତାନ-ଇରାନ ସୀମା ବାଲୁଚିସ୍ତାନରେ ଥିବା ଜୈଶ ଅଲ ଅଦଲ ଆତଙ୍କୀ ସଙ୍ଗଠନ କାର୍ଯ୍ୟାଳୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଇରାନ ଆକ୍ରମଣରେ ଜୈସ୍ ଅଲ-ଅଦଲ ଗୋଷ୍ଠୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମୁଖ୍ୟାଳୟ ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଏହି ଆକ୍ରମଣରେ ଦୁଇ ଶିଶୁଙ୍କ ମୃତ୍ୟୁ ହେବା ସହ ୩ ନାବାଳିକା ଗୁରୁତର ହୋଇଥିବା ପାକିସ୍ତାନ ଦାବି କରିଛି।

ପାକିସ୍ତାନ ସାର୍ବଭୌମତ ଉପରେ ଏପରି ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛି ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଯୋଗାଯୋଗର ଅନେକ  ବିକଳ୍ପ ଥାଇ ମଧ୍ୟ ଇରାନ ଏଭଳି ପଦକ୍ଷେପ ନେଇଛି । ପାକିସ୍ତାନ ମାଟିରେ ଇରାନର ଏଭଳି ଷ୍ଟ୍ରାଇକ ଏବଂ ବାୟୁସୀମା ଉଲ୍ଲଙ୍ଘନକୁ ଆମେ କଡ଼ା ନିନ୍ଦା କରୁଛୁ । ଏହାର ପରିଣାମ ଖୁବ୍‌ ଭୟଙ୍କର ହେବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।