ଓଲିଉଡ ପୁରସ୍କାର ମହୋତ୍ସବ, ଦୁବାଇରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ପହଞ୍ଚିଛନ୍ତି ଓଡ଼ିଆ କଳାକାର । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ ଚଳଚ୍ଚିତ୍ର ସମାରୋହ ଆୟୋଜିତ ହେଉଛି । ଫାଇଭ ଷ୍ଟାର ଫିଲ୍ମ ଆୱାର୍ଡସ୍ ୨୦୨୪ ଦୁବାଇ ଭାବରେ ନାମିତ ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଶାର କଳାକାର ଯୋଗ ଦେଇ ଉତ୍ସାହିତ ଅଛନ୍ତି । ଦୁବାଇର ଓଉଦ ମେଠାସ୍ଥିତ ଶେଖ୍ ରସିଦ ପ୍ରେକ୍ଷାଳୟ ଠାରେ  ଜାନୁଆରି ୧୩ ତାରିଖ ସନ୍ଧ୍ୟା ୫ଟାଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ଵସ୍ତରୀୟ ସାଂସ୍କୃତିକ ଆସରରେ ସଂଯୁକ୍ତ ଆରବ ଏମିରେଟସର ମାନ୍ୟଗଣ୍ୟ ଓଡ଼ିଆ,୧୫୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ପ୍ରେମୀ ଜନସାଧାରଣ ଏବଂ ଓଡ଼ିଆ ଚ୍ଚିତ୍ରତାରକାମାନଙ୍କର ଅସଂଖ୍ୟ ପ୍ରଶଂସକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଲିଉଡର ଏହି ମହାକୁମ୍ଭ ମେଳାରେ ଭାଗ ନେବା ପାଇଁ ଭୁବନେଶ୍ବରରୁ ପ୍ରାୟ ୧୦୫ଜଣ ଚଳଚ୍ଚିତ୍ର, ନୃତ୍ୟ ଓ ସଙ୍ଗୀତ ଜଗତର ପ୍ରତିଷ୍ଠିତ କଳାକାରମାନେ ଦୁବାଇ ଅଭିମୁଖେ ବିମାନଯୋଗେ ଯାତ୍ରା କରିବେ ବୋଲି ସୂଚନା ମିଳିଛି।