ଆମେ ଭାରତକୁ ଉସୁକାଉନାହୁଁ

ଭାରତର କଡ଼ା ପଦକ୍ଷେପ ପରେ ନଇଁଛି କାନାଡା । ସକାଳୁ ତାଉ ଦେଖାଉଥିବା କାନାଡା ସଂଧ୍ୟାକୁ ନରମ ହୋଇଛି ।  ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଥିବା ବେଳେ ଭାରତର କଡା ଜବାବ ଦେଖି କାନାଡା ପ୍ରଧାନମନ୍ତ୍ରୀ ଉତ୍ତର ରଖିଛନ୍ତି । କାନାଡା ତରଫରୁ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯିବା ପରେ ଭାରତ ମଧ୍ୟ ଯେସାକୁ ତେସା ଜବାବ ଦେଇଥିଲା । ଏହା ସହ ନିଜ ଦେଶରେ ମଧ୍ୟ ସମାଲୋଚନାର ଶିକାର ହୋଇଥିଲେ ଟ୍ରୁଡୋ । ଯାହାକୁ ନେଇ  କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଙ୍ଗଳବାର କହିଛନ୍ତି ଯେ ଆମେ ଭାରତକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁନାହୁଁ, କିନ୍ତୁ କାନାଡ଼ା ରାଜଧାନୀ ଓଟାୱା  ଚାହୁଁଛି ଯେ ନୂଆଦିଲ୍ଲୀ ଏହି ପ୍ରସଙ୍ଗକୁ ଠିକ୍ ଭାବରେ ପରିଚାଳନା କରୁ। ଟ୍ରୁଡୋ କହିଛନ୍ତି, ଭାରତ ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେବା ଦରକାର। ତାହା ହିଁ ଆମେ କହୁଛୁ। ଆମେ ଏହାକୁ ଉତ୍ତେଜିତ କରୁନାହୁଁ କିମ୍ବା ବଢ଼ାଇବାକୁ ଚେଷ୍ଟା କରୁନାହୁଁ ବୋଲି ଟ୍ରୁଡୋ କହିଛନ୍ତି । ସେ ନିଜାରଙ୍କ ହତ୍ୟା ଏବଂ ଭାରତ ସରକାରଙ୍କ ଏଜେଣ୍ଟଙ୍କ ମଧ୍ୟରେ ସମ୍ଭାବ୍ୟ ଲିଙ୍କ୍ ଥିବା ଦାବି କରିଛନ୍ତି।