ନେପାଳରେ ପ୍ରଧାନମନ୍ତ୍ରୀ ହେବେ କେପି ଶର୍ମା ଓଲି, ପ୍ରଚଣ୍ଡ ଦେଲେ ଇସ୍ତଫା

ନେପାଳରେ ବଦଳିବ ସରକାର । ପ୍ରଧାନମନ୍ତ୍ରୀ  ହେବେ କେପି ଶର୍ମା ଓଲି  ।  ଆସ୍ଥା ଭୋଟରେ ହାରି ଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ।  ନେପାଳ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୩୮।  ଏବେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା CPN-UMLର ନେତା କେପି ଶର୍ମା ଓଲି ଏହି ପଦ ସମ୍ଭାଳିବେ। ତାଙ୍କୁ ନେପାଳି କଂଗ୍ରେସ ସମର୍ଥନ କରିବ।  ସଂସଦରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା। (CPN-UML)ର ସମର୍ଥନରେ ସରକାର ଗଠନ କରିଥିଲେ। ହେଲେ କିଛି ଦିନ ତଳେ CPN-UML ପ୍ରଚଣ୍ଡଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା। ଫଳରେ ୨ ବର୍ଷ ମଧ୍ୟରେ ୫ମ ଥର ପାଇଁ ପ୍ରଚଣ୍ଡଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥିଲା। ପୂର୍ବରୁ ୪ଥର ଆସ୍ଥା ରଖିବାକୁ ସକ୍ଷମ ହୋଇଥିବା ପ୍ରଚଣ୍ଡ ଏଥର ଫେଲ ମାରିଛନ୍ତି। ୨୭୫ ଆସନ ବିଶିଷ୍ଟ ନେପାଳ ସଂସଦର ମାତ୍ର ୬୩ ଜଣ ସଦସ୍ୟ ପ୍ରଚଣ୍ଡଙ୍କ ସମର୍ଥନ କରିଥିଲେ। ତାଙ୍କ ବିରୋଧରେ ୧୯୩ ଖଣ୍ଡ ଭୋଟ ପଡ଼ିଛି। ଜଣେ ସଦସ୍ୟ ଭୋଟଦାନରୁ ଦୂରେଇ ରହିଥିଲେ।