ଦିଲ୍ଲୀରୁ ୨ ଘଣ୍ଟାରେ ହରିଦ୍ୱାର, ୪ ଘଣ୍ଟାରେ ପହଞ୍ଚିବେ ଅମୃତସର; ଜାଣନ୍ତୁ କେବେ ପୂରା ହେବ ସ୍ୱପ୍ନ
ମେଟ୍ରୋ ଟିଭି ଓଡିଶା (୨୩ .୩ . ୨୦୨୨) :
ଦେଶର ଗମନାଗମନ ଓ ଯାତାୟତ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ମୋଦୀ ସରକାରଙ୍କ ଶାସନ କାଳରେ ଦେଶରେ ବହୁତ ବଡ଼ ବଡ଼ ପ୍ରକଳ୍ପର ନିର୍ମାଣ କାମ ଶେଷ ହେଇଥିବା ବେଳେ ଆଗାମୀ କିଛି ବର୍ଷ ମଧ୍ୟରେ ଆହୁରି ଅନେକ ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇଯିବ । ରାସ୍ତାଘାଟ ଭିତ୍ତିଭୂମି ଉନ୍ନତି ହେବା ଦ୍ୱାରା ଲୋକଙ୍କୁ କମ ସମୟରେ ଅନ୍ୟସ୍ଥାନରେ ପହଞ୍ଚିବା ସହଜ ହେବ । ମୋଦୀ ସରକାରଙ୍କ କହିବା ଅନୁସାରେ ୨୦୨୪ ପର୍ଯ୍ୟନ୍ତ ଦେଶର ସଡ଼କ ପଥ ଆହୁରି ସମୃଦ୍ଧ ହେବ ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମଙ୍ଗଳବାର ସଂସଦରେ କହିଛନ୍ତି ଯେ, ୨୦୨୪ରେ ଶେଷ ହେବା ପୂର୍ବରୁ ଦେଶର ସଡ଼କ ଭିତ୍ତିଭୂମି ଆମେରିକା ଭଳି ହେବ । ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ଏନସିଆରର ଅନେକ ସହର ଦିଲ୍ଲୀ ଠାରୁ କେବଳ ୨ ଘଣ୍ଟା ଦୂର ରହିଯିବ । ଶ୍ରୀନଗରରୁ କେବଳ ୨୦ ଘଣ୍ଟାରେ ମୁମ୍ବାଇ ପହଞ୍ଚି ହେବ । ଗଡ଼କରୀ କହିଛନ୍ତି ଯେ, ଜମ୍ମୁ କଶ୍ମୀରରେ ୬୦ ହଜାର କୋଟି ଟଙ୍କାର ସଡ଼କ ନିର୍ମାଣ କାମ ଚାଲିଛି । ୧ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଶ୍ରମିକମାନେ ଜୋଜିଲା ଟନେଲରେ ଲଗାତାର କାମ କରୁଛନ୍ତି ।

ଏହା ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ୨୦୨୪ ପୂର୍ବରୁ ପୂରା କରାଯିବ । ଲେହରୁ କାରଗିଲ, କାରଗିଲରୁ ଝେରମୋର ଓ ଝେରମୋରରୁ ଶ୍ରୀନଗର ଏବଂ ଶ୍ରୀନଗରରୁ ପୁଣି ଜମ୍ମୁ ମଧ୍ୟରେ ଜାତୀୟ ରାଜପଥର ନିର୍ମାଣ ଚାଲିଛି । ଏଥିରେ ୫ଟି ଟନେଲ ରହିଛି । ଦିଲ୍ଲୀରୁ ଅମୃତସର ମାତ୍ର ୪ ଘଣ୍ଟା ଲାଗିବ । ହରିଦ୍ୱାର ଓ ଡେରାଡୁନକୁ ଦିଲ୍ଲୀରୁ ମାତ୍ର ୨ ଘଣ୍ଟାରେ ପହଞ୍ଚି ହେବ । ଦିଲ୍ଲୀରୁ ମୁମ୍ବାଇ ୧୨ ଘଣ୍ଟା ଓ ଚେନ୍ନାଇରୁ ବେଙ୍ଗାଲୁରୁ ୨ ଘଣ୍ଟା ଲାଗିବ । ସଡ଼କ ଗୁଡ଼ିକର ବିକାଶ ତାଲିକା ବହୁତ ଲମ୍ବା ବୋଲି ଗଡ଼କରୀ କହିଛନ୍ତି ।