୧୯ ବର୍ଷରୁ କମ୍‌ ଯୁବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲରେ ଭାରତ ବିଜୟୀ

ପୋଚେଫ୍‌ଷ୍ଟ୍ରୁମ୍‌: ୧୯ ବର୍ଷରୁ କମ୍‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ବିଜେତା ହୋଇଛି ଭାରତ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ବିଶ୍ବକପ୍‌ର ରବିବାର ଫାଇନାଲ୍‌ରେ ଶେଫାଳି ବର୍ମାଙ୍କ ଭାରତ ୭ ୱିକେଟ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଟ୍ରଫି ହାସଲ କରିଛି। ୪ ଓଭରରେ ମାତ୍ର ୬ ରନ୍‌ ଦେଇ ୨ଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ଦଖଲ କରିଥିବା ତିତାସ ସାଧୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଫାଇନାଲ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା। ଜବାବରେ ୬୯ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୩୬ ବଲ୍‌ ପୂର୍ବରୁ ୩ ୱିକେଟ୍‌ ବିନିମୟରେ ହାସଲ କରିନେଇଥିଲା। ଶେଫାଳି ୧୧ ବଲ୍‌ରୁ ୧ ଛକା ଓ ୧ ଚୌକା ଜରିଆରେ ୧୫, ଗୋଙ୍ଗାଡି ତ୍ରିଶା ୨୯ ବଲ୍‌ରୁ ୩ ଚୌକା ସହାୟତାରେ ୨୪ ଏବଂ ଶ୍ବେତା ସେରାୱତ ୫  ରନ୍‌ କରି ଆଉଟ୍‌ ହୋଇଥିଲେ ମଧ୍ୟ ଭାରତ ୧୪ତମ ଓଭରରେ ହିଁ ମ୍ୟାଚ୍‌ ଜିତି ନେଇଥିଲା। ସୌମ୍ୟା ତିୱାରୀ ୨୪  ଅପରାଜିତ ରହି ବିଜୟ ମୁଣ୍ଡି ମାରିଥିଲେ।