ଗାଜାକୁ ମାନବିକ ସହାୟତା ପଠାଇଲା ଭାରତ

ଗାଜାରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାଧାରଣ ଲୋକ ସମସ୍ୟାରେ ପଡିଛନ୍ତି । ଏଭଳି ସମସ୍ୟା ସମୟରେ ଭାରତ ସହଯୋଗର ହାତ ବଢ଼ାଇଛି । ମାନବିୟ ସଙ୍କଟର ମୁକାବିଲା ପାଇଁ ଭାରତ ଗାଜାବାସୀଙ୍କୁ  ଅତ୍ୟନ୍ତ ଆବଶ୍ୟକ ମାନବିକ ସହାୟତା ପଠାଇଛି। ମାଲବାହୀ ବିମାନଟି ଇଜିପ୍ଟର ଏଲ୍-ଆରିଶ ବିମାନବନ୍ଦରକୁ ଯିବା ପରେ  ଇଜିପ୍ଟର ରେଡକ୍ରସକୁ ହସ୍ତାନ୍ତର କରାଯାଇଛି ।  ପାଲେଷ୍ଟାଇନ ରାଷ୍ଟ୍ରଦୂତ ଅଦନାନ ଅବୁ ଅଲ-ହଏଜା ଏହି ସମୟୋପଯୋଗୀ ସହାୟତା ପାଇଁ ଭାରତ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଜୀବନ ରକ୍ଷାକାରୀ ଔଷଧ, ଅସ୍ତ୍ରୋପଚାର ସାମଗ୍ରୀ, ଟେଣ୍ଟ, ଶୋଇବା ବ୍ୟାଗ୍, ତାର୍ପୋଲିନ୍, ସାନିଟାରି ସାମଗ୍ରୀ ଏବଂ ଜଳ ବିଶୋଧକ ବଟିକା ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଏହି ସହାୟତା ଇଜିପ୍ଟର ରାଫା କ୍ରସିଂ ପଏଣ୍ଟ ଦେଇ ଗାଜାରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ବାୟୁସେନାର ସି-୧୭ ବିମାନରେ ପାଖାପାଖି ୬.୫ ଟନ୍ ଚିକିତ୍ସା ସହାୟତା ଓ ୩୨ ଟନ୍ ରିଲିଫ ସାମଗ୍ରୀ ପଠାଇବାରେ ଭାରତୀୟ ବାୟୁସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।