ଅପହଞ୍ଚ କୈଳାସ ପର୍ବତ,କୈଳାସ ପର୍ବତକୁ ନେଇ ଅନେକ ରୋଚକ ତତ୍ତ୍ୱ

kailash-mountain

ମେଟ୍ରୋ ଟିଭି ଓଡିଶା (୧ .୩ .୨୦୨୨) :

ଆଜି ମହା ଶିବରାତ୍ରି। ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନାର ବିଶେଷ ତିଥି। କୁହାଯାଏ ଏହଦିନ ଭକ୍ତିର ସହିତ ରାତ୍ରି ଉଜାଗର ରହି ମହାଦେବଙ୍କର ଉପାସନା କଲେ ସବୁ ଦୁଃଖ ଦୂର ହେବା ସହିତ ମନୋକାମନା ପୂରଣ ହୋଇଥାଏ। ପୌରାଣିକ ତତ୍ୱ ଅନୁଯାୟୀ ମହାଦେବଙ୍କ ନିବାସ ସ୍ଥଳ ହିମାଳୟର କୈଳାସ ପର୍ବତ। କୈଳାସ ପର୍ବତକୁ ନେଇ ଅନେକ ରୋଚକ କଥା ରହିଛି। ଏହା ଦେଖିବାକୁ ପିରାମିଡ ଭଳି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପର୍ବତାରୋହଣକାରୀମାନେ ଏହାଠାରୁ ବହୁ ଜଟିଳ ପର୍ବତ ଶିଖର ଆରୋହଣ କରିସାରିଥିବାବେଳେ କୈଳାସ ପର୍ବତ କେହି ଆରୋହଣ କରିନାହାନ୍ତି। ଏପରିକି ସେଠାକୁ ବିମାନ କିମ୍ବା ହେଲିକପ୍ଟର ମଧ୍ୟ ଉଡାଣ କରିନାହିଁ। ଏହା ପଛରେ ଉଭୟ ପୌରାଣିକ ବିଶ୍ୱାସ ଏବଂ ବିଜ୍ଞାନ ସମ୍ମତ ତଥ୍ୟ ରହିଛି। ପ୍ରତିବର୍ଷ ଶ୍ରଦ୍ଧାଳୁମାନେ କୈଳାସ ପାଦଦେଶଷର ଥିବା ପବିତ୍ର ମାନସରୋବର ହ୍ରଦ ଅଭିମୁଖେ ଯାତ୍ରାରେ ଯାଇଥାନ୍ତି। ଶିବ ପୁରାଣ, ସ୍କନ୍ଦ ପୁରାଣ, ମତ୍ସ୍ୟ ପୁରାଣ ଆଦିରେ କୈଳାସ ପର୍ବତକୁ ନେଇ ସ୍ୱତନ୍ତ୍ର ଅଧ୍ୟାୟ ରହିଛି, ଯାହାକୁ କୈଳାସ ଖଣ୍ଡ ଭାବରେ ପରିଚିତ। ସେଥିରେ ଏହି ଦେବସ୍ଥଳର ମାହାତ୍ମ୍ୟ ଏବଂ ଅଲୌକିକତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି।


ପୌରାଣିକ ବିଶ୍ୱାସ ଅନୁଯାୟୀ ଏହା ନିକଟରେ ରହିଛି କୁବେରଙ୍କ ବାସସ୍ଥଳ। ଏହିଠାରେ ପବିତ୍ର ଗଙ୍ଗା ଧରାବତରଣ କରିଥିବା ବିଶ୍ୱାସ ମଧ୍ୟ ରହିଛି। ଗଙ୍ଗାର ଧାରା ସ୍ୱର୍ଗରୁ କୈଳାସ ପର୍ବତ ଶିଖରରେ ପତିତ ହେଉଛି, ଯାହା ମହାଦେବଙ୍କ ଜଟା ବୋଲି ପୁରାଣରେ କଥିତ ରହିଛି। ତାହାପରେ ଗଙ୍ଗାର ଜଳଧାରା ନିମ୍ନକୁ ପ୍ରବାହିତ ହୋଇଛି। ଅନ୍ୟପକ୍ଷରେ ବୈଜ୍ଞାନିକ ତତ୍ୱ ଅନୁଯାୟୀ ପୃଥିବୀର ଦୁଇ ପଟେ ଦୁଇଟି ମେରୁ ଯଥା- ଉତ୍ତର ମେରୁ ଓ ଦକ୍ଷିଣ ମେରୁ ରହିଛି ଏବଂ ଏହି ଦୁଇ ମେରୁର ମଧ୍ୟଭାଗରେ ରହିଛି ହିମାଳୟ ପର୍ବତମାଳା। ହିମାଳୟର କେନ୍ଦ୍ରରେ ରହିଛି କୈଳାସ ପର୍ବତ। ବୈଜ୍ଞାନିକଙ୍କ ମତରେ ଏହା ହେଉଛି ପୃଥିବୀର କେନ୍ଦ୍ରସ୍ଥଳ ଏବଂ ହିନ୍ଦୁ, ଜୈନ, ବୌଦ୍ଧ ଏବଂ ଶିଖ ଆଦି ଚାରିଟି ମୁଖ୍ୟ ଧର୍ମର ସଂଗମ ସ୍ଥଳ ହେଇଛି କୈଳାସ ପର୍ବତ।


ଏହା ମଧ୍ୟ ଏକ କେନ୍ଦ୍ର ଯାହାକୁ ଆକ୍ସିସ ମୁଣ୍ଡି (କସ୍‍ମିକ ଆକ୍ସିସ) ବୋଲି କୁହାଯାଏ। ତାହାର ଅର୍ଥ ହେଉଛି ବିଶ୍ୱର ନାଭିସ୍ଥଳ ଏବଂ ଭୌଗୋଳିକ ମେରୁର କେନ୍ଦ୍ରସ୍ଥଳ। ଏହା ସ୍ୱର୍ଗ ଓ ମର୍ତ୍ତ୍ୟର ସଂଯୋଗ ସ୍ଥଳ, ଯେଉଁଠାରେ ଦଶ ଦିଗ ମିଳିତ ହୋଇଛନ୍ତି। ରୁଷର ଜଣେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଆକ୍ସିସ ମୁଣ୍ଡି ହେଉଛି ସେହି ସ୍ଥାନ ଯେଉଁଠାରେ ଅଲୌକିକ ଶକ୍ତିର ପ୍ରବାହ ହୋଇଥାଏ ଏବଂ ଜଣେ ସେହି ଶକ୍ତିଗୁଡିକ ସହିତ ସଂଯୋଗ ସ୍ଥାପନ ମଧ୍ୟ କରିପାରିବେ। କେବଳ ସେତିକି ନୁହେଁ, କୈଳାସ ପର୍ବତ କିମ୍ବା ମାନସରୋବର ନିକଟକୁ ଗଲେ ନିକଟରେ ଏକ ବିମାନ ଉଡିବା ଭଳି ଶବ୍ଦ ନିରନ୍ତର ଶୁଣିବାକୁ ମିଳେ। କିନ୍ତୁ କାନଡେରି ଶୁଣିଲେ ତାହା ‘ଓଁ’ ଶବ୍ଦ ଉଚ୍ଚାରଣ ଏବଂ ଡମ୍ବରୁର ଶବ୍ଦ ଭଳି ମନେହୋଇଥାଏ। ବୈଜ୍ଞାନିକଙ୍କ କହିବା କଥା ଯେ ଏହା ହୁଏତ ବରଫ ତରଳିବା ପ୍ରକ୍ରିାୟାର ଶବ୍ଦ ହୋଇପାରେ ଅଥବା ସେଠାରେ ଆଲୋକ ଏବଂ ଶବ୍ଦ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହେବା ଦ୍ୱାରା ‘ଓଁ’ ଶବ୍ଦ ସୃଷ୍ଟି ହେଉଥାଇପାରେ।

କୈଳାସ ପର୍ବତର ଅଲୌକିକତା ଏତିକିରେ ସୀମିତ ରହିନାହିଁ। ଅନେକ ସମୟରେ ରାତି ଆକାଶରେ କୈଳାସ ପର୍ବତ ଉପରେ ସାତ ପ୍ରକାର ରଙ୍ଗର ଆଲୋକ ଦେଖିବାକୁ ମିଳେ। ନାସା ବୈଜ୍ଞାନିକଙ୍କର ବିଶ୍ୱାସ ଯେ, ଚୁମ୍ବକୀୟ ଶକ୍ତି ଯୋଗୁ ଉକ୍ତ ଆଲୋକ ସେଠାରେ ସୃଷ୍ଟି ହେଉଛି। ସେମାନଙ୍କ ମତରେ ଚମ୍ବକୀୟ ଶକ୍ତି ଉକ୍ତ ସ୍ଥାନରେ ମହାକାଶକୁ ସ୍ପର୍ଶ କରିପାରିବ ଏବଂ ଏହିଭଳି ଆଲୋକ ଅନେକ ଥର ସୃଷ୍ଟି କରିପାରିବ। ୨୦୧୫ରେ ନାସା ବୈଜ୍ଞାନିକମାନେ ଗୁଗଲ ଆର୍ଥ ଉପଗ୍ରହ ଜରିଆରେ କୈଳାସ ପର୍ବତ ଉପରେ ଗବେଷଣା କରିଥିଲେ। ସେମାନେ ଗୁଗଲ ଆର୍ଥର ଫଟୋଚିତ୍ରରେ କୈଳାସ ପର୍ବତରେ ଯାହା ଦେଖିଲେ ତାହା ସେମାନଙ୍କୁ ଚକିତ କରିଦେଇଥିଲା। ସେମାନେ କୈଳାସ ଉପରେ ସ୍ୱୟଂ ମହାଦେବଙ୍କୁ ଧ୍ୟାନମୁଦ୍ରାରେ ବସିଥିବା ଦେଖିବାକୁ ପାଇଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏପର୍ଯ୍ୟନ୍ତ କୈଳାସ ପର୍ବତକୁ କେହି ଆରୋହଣ କରିନାହାନ୍ତି। କୈଳାସ ପର୍ବତ ଆରୋହଣ ପାଇଁ ସମସ୍ତଙ୍କୁ ବାରଣ କରାଯାଇଥାଏ। ତେବେ ଏକାଦଶ ଶତାବ୍ଦୀରେ ତିବତର ଜଣେ ବିଶିଷ୍ଟ ବୌଦ୍ଧ ସନ୍ନ୍ୟାସୀ ‘ମିଲାରେପା’ କୈଳାସ ପର୍ବତ ଆରୋହଣ କରିଥିଲେ। ସେ ତାଙ୍କ ଆରୋହଣ ଅନୁଭୂତି ସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିଲେ। ସେ କେବଳ ଏତିକି କହିଥିଲେ, କୈଳାସ ପର୍ବତ ଉପରେ ଏଭଳି ଶକ୍ତି ଅଛନ୍ତି ଯିଏ ତାଙ୍କୁ କେହି ବିଚଳିତ କରନ୍ତୁ ବୋଲି ଚାହାଁନ୍ତି ନାହିଁ। ତଥାପି ଏପର୍ଯ୍ୟନ୍ତ ଏହା ଏକ ରହସ୍ୟ ହୋଇ ରହିଆସିଛି। ୨୦୦୧ରେ ଚୀନର ଗବେଷକମାନେ ସ୍ପେନ ଓ ରୁଷର ବୈଜ୍ଞାନିକ ଦଳ ସହିତ କୈଳାସ ପର୍ବତ ଆରୋହଣ ପାଇଁ ଶେଷ ପ୍ରଚେଷ୍ଟା କରିଥିଲେ। ସେମାନେ ସେଥିରେ ବିଫଳ ହୋଇଥିଲେ, କିନ୍ତୁ ସେହି ବୈଜ୍ଞାନିକ ଦଳରେ ଥିବା କର୍ଣ୍ଣେଲ ଆର ସି କହିଥିଲେ ଯେ ସେମାନେ କୈଳାସ ପର୍ବତ ଆରୋହଣ କରିବାକୁ ସିଧା ରାସ୍ତା ଖୋଜି ନେଇଥିଲେ। ସେହି ରାସ୍ତାରେ ସେମାନେ ଆଗକୁ ବଢ଼ିବା ସମୟରେ ଭୀଷଣ ତୁଷାରପାତ ଆରମ୍ଭ ହୋଇଗଲା ଏବଂ ଉକ୍ତ ରାସ୍ତା ବନ୍ଦ ହୋଇଗଲା। ରୁଷର ପର୍ବତାରୋହୀ ସର୍ଗେଇ କହିଥିଲେ ସେମାନେ କୈଳାସ ପର୍ବତ ନିକଟରେ ପହଞ୍ଚିବା ପରେ ତାଙ୍କ ହୃଦସ୍ପନ୍ଦନ ବଢ଼ିଯାଇଥିଲା ଏବଂ ତାଙ୍କ ଅନ୍ତରାତ୍ମା କୈଳାସ ଆରୋହଣ ନକରିବାକୁ ପ୍ରବର୍ତ୍ତାଇଥିଲା। ଏହାପରେ ସେମାନେ ତଳକୁ ଚାଲିଆସିଥିଲେ ଏବଂ ତାଙ୍କ ଶରୀରରୁ ସମସ୍ତ କମ୍ପନ ଦୂର ହୋଇଯାଇଥିଲା। ସ୍ପେନର ଜଣେ ବୈଜ୍ଞାନିକ କହିଥିଲେ, କୈଳାସ ପର୍ବତ ଆରୋହଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ। ଏହା କୌଣସି ଶକ୍ତି ଦ୍ୱାରା ସୁରକ୍ଷିତ ରହିଛି।
ଦୂରରୁ ଦେଖିଲେ କୈଳାସ ପର୍ବତ ପିରାମିଡ ଭଳି ଦୃଶ୍ୟମାନ ହୋଇଥାଏ। ଏହା ପ୍ରାୟ ୧୦୦ ଛୋଟ ଛୋଟ ପିରାମିଡ ଆକୃତି ପବର୍ତର କେନ୍ଦ୍ରରେ ରହିଛି। କୈଳାସ ପର୍ବତ ପାଦଦେଶରେ ରହିଛି ଏକାଧିକ ହ୍ରଦ। ସେଥିମଧ୍ୟରେ ପ୍ରଥମ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହ୍ରଦ ହେଉଛି ମାନସରୋବର। ଏହି ହ୍ରଦର ଜଳ ବିଶ୍ୱରେ ଥିବା ସବୁଠାରୁ ଶୁଦ୍ଧ ଜଳ ବିଶିଷ୍ଟ ହ୍ରଦଗୁଡିକ ମଧ୍ୟରେ ଅନ୍ୟତମ। ଏହାର ଆକାର ସୂର୍ଯ୍ୟ ଭଳି। ଏହା ନିକଟରେ ରହିଛି ମୋନଷ୍ଟର ହ୍ରଦ। ଏହାର ଆକାର ଚନ୍ଦ୍ର ଭଳି ହୋଇଥିବାବେଳେ ଏହାର ଜଳ ଲବଣାକ୍ତ। ଏହା ମଧ୍ୟ ବିଶ୍ୱରେ ସର୍ବୋଚ୍ଚ ସ୍ଥାନରେ ଥିବା ଲବଣ ଜଳ ହ୍ରଦଗୁଡିକ ମଧ୍ୟରେ ଅନ୍ୟତମ। ଉଭୟ ହ୍ରଦ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ସହିତ ସଂଯୁକ୍ତ ବୋଲି ବିଶ୍ୱାସ କରାଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୈଳାସ ପର୍ବତକୁ ଚାରିଦିଗରୁ ଦେଖିଲେ ଏହା ବିଭିନ୍ନ ପ୍ରାଣୀଙ୍କର ମୁଖ ଭଳି ଦେଖାଯାଇଥାଏ, ଯେଉଁଠାରୁ ବଡ ବଡ ନଦୀଗୁଡିକର ଉତ୍ପତ୍ତି ହୋଇଛି। ଏହାର ପୂର୍ବ ଦିଗ ଅଶ୍ୱର ମୁଖ, ପଶ୍ଚିମ ଦିଗ ହାତୀ, ଉତ୍ତର ଦିଗ ସିଂହର ମୁଖ ଏବଂ ଦକ୍ଷିଣ ଦିଗ ମୟୁର ମୁଖ ଭଳି ଦେଖାଯାଇଥାଏ।


କୁହାଯାଏ ଯେ କେବଳ ପୁଣ୍ୟାତ୍ମାମାନେ ସେହି ସ୍ଥାନରେ ବାସ କରିପାରିବେ। ରୁଷର ଏକ ବୈଜ୍ଞାନିକ ଦଳ ବହୁବର୍ଷ ପୂର୍ବେ କୈଳାସ ପର୍ବତ ଏବଂ ଏହାର ପାରିପାର୍ଶିକ ପରିବେଶ ସମ୍ପର୍କରେ ଗବେଷଣା କରିବା ସମୟରେ ତିବତରେ ଥିବା ମନ୍ଦିର ଓ ବୌଦ୍ଧବିହାରଗୁଡିକରେ ଧର୍ମୀୟ ନେତୃବୃନ୍ଦଙ୍କୁ ଭେଟିଥିଲେ। ସେମାନେ କହିଥିଲେ ଯେ କୈଳାସ ପର୍ବତ ଚାରିପଟେ ଏକ ଅଲୌକିକ ଶକ୍ତି ପ୍ରବାହିତ ହେଉଛି ଯେଉଁଠାରେ ସନ୍ନ୍ୟାସୀମାନେ ଏବେ ମଧ୍ୟ ଆଧ୍ୟାତ୍ମିକ ଗୁରୁମାନଙ୍କ ସହିତ ମାନସିକ ସ୍ତରରେ ଯୋଗାଯୋଗ କରିଥାନ୍ତି। ହିମାଳୟ ପର୍ବତମାଳା ପାଦଦେଶରେ ବାସ କରୁଥିବା ଲୋକଙ୍କ କହିବା କଥା ଯେ ଉଚ୍ଚ ଅକ୍ଷାଂଶରେ ତୁଷାରାବୃତ୍ତ ପର୍ବତରେ ମଣିଷ ବାସ କରୁଛନ୍ତି। ସେମାନଙ୍କୁ କେହି କେହି ଧୂସର ଭାଲୁ ବୋଲି କହନ୍ତି, ଆଉ କେହି ସେମାନଙ୍କୁ ଜଙ୍ଗଲି ମଣିଷ, ତୁଷାର ମାନବ ବୋଲି କହିଥାନ୍ତି। ଗତ ପ୍ରାୟ ୩୦ ବର୍ଷ ମଧ୍ୟରେ ୩୦ରୁ ଅଧିକ ବୈଜ୍ଞାନିକ ଦାବି କରିଛନ୍ତି ଯେ ସେମାନେ ହିମାଳୟର ବରଫାବୃତ ଅଞ୍ଚଳରେ ତୁଷାର ମାନବଙ୍କୁ ଦେଖିଛନ୍ତି।