ହମାସ୍ ପୋଷ୍ଟ୍ ଉପରେ ଇସ୍ରାଏଲ ସ୍ଥଳସେନାର ପ୍ରଚଣ୍ଡ ଆକ୍ରମଣ
ତେଲ୍ ଅଭିଭ୍: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆତଙ୍କବାଦୀ ସଂଗଠନ ହମାସ୍କୁ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି। ଗାଜାରେ ଇସ୍ରାଏଲ ସ୍ଥଳସେନା ପ୍ରବେଶ କରିଥିବା ବେଳେ ନେତାନ୍ୟାହୁ କହିଛନ୍ତି, ଆମର ଶତ୍ରୁମାନେ ଏବେ ମୂଲ୍ୟ ଦେବେ। ଆମେ କେବେ ବି କ୍ଷମା କରିବୁନି। ଶତ୍ରୁଙ୍କ ସହ ଲଢ଼େଇର କୌଣସି ସୀମା ରହିବନି । ଇସ୍ରାଏଲର ଶତ୍ରୁମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଏହି ପ୍ରକ୍ରିୟା ଆରମ୍ଭ ହେଲା ବୋଲି ନେତାନ୍ୟାହୁ କହିଛନ୍ତି।ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ ସେନା ବିଶାଳ ସ୍ଥଳ ଅଭିଯାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ନାଗରିକଙ୍କୁ ଗାଜା ଷ୍ଟ୍ରିପ୍ ଛାଡ଼ିବାପାଇଁ ୨୪ ଘଣ୍ଟାର ସମୟ ଦେଇଥିବା ଇସ୍ରାଏଲ ସେନା ଆଜି ଗାଜାରେ ଅନେକ ହମାସ୍ ପୋଷ୍ଟ୍ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଇଛି। ହମାସ୍ର ଭିତ୍ତିଭୂମି ଏବଂ ରକେଟ୍ ସାଇଟ୍କୁ ଧ୍ବଂସ କରିବାପାଇଁ ଆଇଡିଏଫ୍ ଏହି ଚଢ଼ଉ ଆରମ୍ଭ କରିଛି। ଇସ୍ରାଏଲୀ ସୈନିକମାନେ ପ୍ରମାଣ ସଂଗ୍ରହ କରୁଛନ୍ତି, ଯାହା ପଣବନ୍ଦୀ ଥିବା ଲୋକଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ। ଇତିମଧ୍ୟରେ ଲକ୍ଷାଧିକ ନାଗରିକ ଉତ୍ତର ଗାଜା ଛାଡ଼ି ଦକ୍ଷିଣ ଆଡ଼କୁ ଯାଉଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ-ହମାସ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ହେଲାଣି।