ଭାରତ – ଫ୍ରାନ୍ସ ମିଳିତ ବିବୃତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ଚଳିତ ବର୍ଷ ଜୁଲାଇ ମାସରେ ପ୍ୟାରିସରେ ଶେଷ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଉପରେ ଆଲୋଚନା, ଆକଳନ ଏବଂ ସମୀକ୍ଷା କରିଥିଲେ । ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ବିକାଶ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ । ଭାରତ – ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ତମ ବାର୍ଷିକୀ ପାଳନ ଅବସରରେ ୨୦୨୩ ଜୁଲାଇ ୧୪ ରେ ଫ୍ରାନ୍ସ ଜାତୀୟ ଦିବସରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ପରିପ୍ରେକ୍ଷୀରେ ୧୩ – ୧୪ ଜୁଲାଇ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ପ୍ୟାରିସ୍ ଗସ୍ତ ପରେ ରାଷ୍ଟ୍ରପତି ମାକ୍ରୋନ୍ ଭାରତ ଗସ୍ତ କରିଛନ୍ତି ।
ଗଭୀର ବିଶ୍ୱାସ, ଅଂଶୀଦାର ମୂଲ୍ୟବୋଧ, ସାର୍ବଭୌମତ୍ୱ ଏବଂ ରଣନୈତିକ ସ୍ୱାଧୀନତା ଉପରେ ବିଶ୍ୱାସ, ଜାତିସଂଘ ଚାର୍ଟରରେ ଥିବା ଅନ୍ତର୍ଜାତୀୟ ଆଇନ ଏବଂ ନୀତି ପ୍ରତି ଦୃଢ଼ ପ୍ରତିବଦ୍ଧତା, ବହୁପକ୍ଷବାଦରେ ଏକ ସ୍ଥାୟୀ ବିଶ୍ୱାସ ଏବଂ ଏକ ସ୍ଥିର ବହୁ – ମେରୁ ବିଶ୍ୱର ପାରସ୍ପରିକ ଲକ୍ଷ୍ୟ ଉପରେ ପ୍ରତିଷ୍ଠିତ ଭାରତ ଫ୍ରାନ୍ସ ଭାଗିଦାରୀର ଶକ୍ତିକୁ ସ୍ୱୀକାର କରି ଉଭୟ ନେତା ଆଞ୍ଚଳିକ ଏବଂ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ସେମାନଙ୍କର ସହଯୋଗକୁ ବ୍ୟାପକ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଶାନ୍ତ ସମୟରେ ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ୍ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ବାର୍ତ୍ତା ବହନ କରି ସାମୂହିକ ଭାବରେ ଏକ ଉତ୍ତମ ଶକ୍ତି ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କର ଅତୁଟ ପ୍ରତିବଦ୍ଧତାକୁ ସେମାନେ ଦୋହରାଇ ଥିଲେ ।