ଇସ୍ରାଏଲ୍‌ର ଯୁଦ୍ଧ ଘୋଷଣା

ତେଲ୍‌ ଅଭିଭ୍‌: ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦ ପୁଣି ଯୁଦ୍ଧ ରୂପ ନେଇଛି । ଇସ୍ରାଏଲ ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଘୋଷଣା କରିଛି ।  ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ  ଇସ୍ରାଏଲ ଉପରେ ପ୍ରାୟ ୫ ହଜାର ରକେଟ୍‌ ମାଡ଼ କରି ଧନଜୀବନର ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଆତଙ୍କବାଦୀମାନେ ବର୍ବରତାର ସବୁ ସୀମା ଟପିଛନ୍ତି। ଜଳ, ସ୍ଥଳ ଓ ଆକାଶ ପଥ ଦେଇ ଇସ୍ରାଏଲରେ ପ୍ରବେଶ କରିଥିବା ୩ ଶହରୁ ଅଧିକ ଆତଙ୍କବାଦୀ ବିଭିନ୍ନ ଅଂଚଳରେ ଲୋକଙ୍କୁ ପଣବନ୍ଦୀ କରି ରଖିବା ସହ ନିର୍ଯାତନା ଦେଇ ହତ୍ୟା କରୁଛନ୍ତି। ବାପା-ମା’ଙ୍କ ସମ୍ମୁଖରେ ପିଲାଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯିବାର ଲୋମଟାଙ୍କୁରା ଭିଡିଓ ଜାରି ହୋଇଛି। ଅନେକ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଆତଙ୍କବାଦୀମାନେ ଏକ ସଂଗୀତ ମହୋତ୍ସବରେ ଗୁଳିବର୍ଷା କରିବା ସହ ଇସ୍ରାଏଲ ସମେତ ବ୍ରିଟେନ, ଥାଇଲାଣ୍ଡ, ଜର୍ମାନୀ, ଫ୍ରାନ୍ସ ଆଦି ରାଷ୍ଟ୍ରର ପର୍ଯ୍ୟଟକଙ୍କୁ ପଣବନ୍ଦୀ ରଖିଛନ୍ତି। ପ୍ରାୟ ୨ ଶହ ଲୋକଙ୍କୁ ପଣବନ୍ଦୀ ରଖାଯାଇଥିବା ରିପୋର୍ଟ ମିଳିଛି।ଇସ୍ରାଏଲ ଏବେ ଅତି ଭୟାନକ ସଙ୍କଟ ଦେଇ ଗତି କରୁଥିବାରୁ ଏଥିରୁ ମୁକୁଳିବା ପାଇଁ ମତଭେଦ ଦୂର କରି ଜରୁରୀ ମିଳିତ ସରକାର ଗଠନ ପାଇଁ ବିଚାରବିମର୍ଶ ଚାଲିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ବିରୋଧୀ ଦଳ ନେତା ୟାୟର ଲାପିଡ ଓ ବେନି ଗେଣ୍ଟ୍‌ଜଙ୍କ ମଧ୍ୟରେ ଆଲୋଚନା ହୋଇଛି । ଇସ୍ରାଏଲର ବଡ଼ ଧରଣର ଗୁଇନ୍ଦା ବିଫଳତାକୁ ନେଇ ଦେଶବ୍ୟାପୀ କ୍ରୋଧ ଓ ହତାଶା ଦେଖିବାକୁ ମିଳିଛି। ବିଭିନ୍ନ ଇସ୍‌ଲାମିକ ରାଷ୍ଟ୍ରରେ ମଧ୍ୟ ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ଉଦ୍‌ବେଗ ପ୍ରକାଶ କରିଛନ୍ତ। ଇଜିପ୍ଟରେ ଆଜି ଜଣେ ପୁଲିସ କର୍ମୀ ଦୁଇ ଜଣ ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ଶତାଧିକ ପଣବନ୍ଦୀଙ୍କ ସଂପର୍କରେ ତଥ୍ୟ ହାସଲ ହୋଇଥିବାରୁ ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଇସ୍ରାଏଲ୍‌ ସେନାର ଅପରେସନ ଜାରି ରହିଛି। ଗାଜା ସମେତ ବିଭିନ୍ନ ଅଂଚଳରେ ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନରେ ୪୦୦ରୁ ଅଧିକ ହମାସ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଗାଜାରେ ଗ୍ରାଉଣ୍ଡ୍‌ ଅପରେସନ ଆରମ୍ଭ ହୋଇଛି ଏବଂ ଇସ୍ରାଏଲ୍‌ର ଟ୍ୟାଙ୍କ ଗାଜାରେ ପ୍ରବେଶ କରିଛି। ଗାଜା ଛାଡ଼ି ତୁରନ୍ତ ଚାଲିଯିବା ପାଇଁ ନାଗରିକଙ୍କୁ ଚେତାବନୀ ଦିଆଯାଇଛି । ଗତକାଲି ଅପରାହ୍ନରୁ ଆଜି ରାତି ୧୦ଟା ସୁଦ୍ଧା ଗାଜାର ୪୨୬ଟି ଠିକଣାରେ ଇସ୍ରାଏଲ ଆକ୍ରମଣ କରିଛି ଏବଂ ଅନେକ ଆବାସିକ ଅଟ୍ଟାଳିକା ଧୂଳିସାତ କରିଦେଇଛି।