ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସମର୍ଥକଙ୍କ ଜୋରଦାର ବିକ୍ଷୋଭ

ଇସଲାମାବାଦ: ପାକିସ୍ତାନରେ ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦେଶ । ଇମ୍ରାନ ଖାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରୁଥିବାରୁ ଏପରି ନିର୍ଦେଶ ଦେଇଛି ପୋଲିସ ।  ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ  ହିଂସାକାଣ୍ଡ ଘଟାଉଛନ୍ତି । ଇମ୍ରାନଙ୍କ ଦଳ ପିଟିଆର କର୍ମକର୍ତ୍ତା ମାନେ ଦେଶରେ ବିଭିନ୍ନ ସ୍ଥାନରେ ପୋଡାଜଳା କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାରା ଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ପୋଲିସ ବିକ୍ଷୋଭକାରୀଙ୍କୁ ଚେତାବନୀ ଦେଇଛି ଯେ ଯଦି ନିୟମ ଉଲ୍ଲଂଘନ କରାଯାଏ ତେବେ ଗୁଳିର ସାମନା କରିବାକୁ ପ୍ରସ୍ତୁତ ରୁହ । ଅନ୍ୟପକ୍ଷରେ ସେନା ବିରୋଧରେ ମଧ୍ୟ ପିଟିଆଇ ସମର୍ଥକମାନେ ନାରାବାଜୀ କରିଛନ୍ତି । ଏକ ଦୁର୍ନୀତି ମାମଲାର ଶୁଣାଣି ବେଳେ ଇସଲାମାବାଦ ହାଇକୋର୍ଟ ପରିସରରୁ ଇମ୍ରାନଙ୍କୁ ଗିରଫ କରିଥିଲା ପାକିସ୍ତାନ ରେଞ୍ଜର୍ସ । ଦୁଇଟି ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥିବା ବେଳେ ଓକିଲଙ୍କ ଚ୍ୟାମ୍ବର ଭାଙ୍ଗି ପଶିଥିଲେ ପାକିସ୍ତାନୀ ରେଞ୍ଜର୍ସ । ସେଠାରୁ ଜୋରଜବରଦସ୍ତ ଇମ୍ରାନଙ୍କୁ ଗିରଫ କରିବା ସହ ମାରପିଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଇମ୍ରାନ ଖାନଙ୍କ ଗିରଫ ପରେ ତାଙ୍କ ଦଳ ପାକିସ୍ତାନ ତହରିକ ଏ ଇନସାଫ ବା ପିଟିଆଇ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।