‘ଶୋଲେ’ ଗୀତ ଗାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କଲେ ଇଜିପ୍ଟ ତରୁଣୀ

କାଇରୋ: ଦୁଇଦିନିଆ ମିଶର ଗସ୍ତରେ ଯାଇ ଇଜିପ୍ଟର ରାଜଧାନୀ କାଇରୋ ପହଞ୍ଚିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶାଢ଼ି ପିନ୍ଧିଥିବା ଜଣେ ଇଜିପ୍ଟ ଝିଅ ଅମିତାଭ ଓ ଧର୍ମେନ୍ଦ୍ରଙ୍କ ଉପରେ ଚିତ୍ରାୟିତ ‘‌ଶୋଲେ’ ସିନେମାର ପ୍ରସିଦ୍ଧ ଗୀତ ‘ୟେ ଦୋସ୍ତି ହମ୍‌ ନହିଁ ତୋଡେଙ୍ଗେ’ ଗାଇ ସ୍ବାଗତ କରିଥିଲେ।  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଗସ୍ତରେ ଇଜିପ୍ଟରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଛି ।

ଚଳିତ ବର୍ଷ ପ୍ରାରମ୍ଭରେ, ଭାରତର ସାଧାରଣତନ୍ତ୍ର ଦିବସ ୨୦୨୩ ସମାରୋହରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦେଲ ଫତେହ ଅଲ୍‌ ସିସି ଯୋଗ ଦେଇଥିଲେ । ତାଙ୍କର ଏହି ଗସ୍ତ ପରେ ଇଜିପ୍ଟ କ୍ୟାବିନେଟର ‘‘ଭାରତ ୟୁନିଟ୍‌’’ ପ୍ରତିଷ୍ଠା କରାଯାଇଥିଲା। ଇଜିପ୍ଟ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମୁସ୍ତାଫା ମେଡ୍‌ବୌଲୀଙ୍କ ଅଧ୍ୟକ୍ଷତାରେ ଭାରତ ୟୁନିଟ୍‌ ଗଠନ କରାଯାଇଥିବା ବେଳେ ଏଥିରେ ବହୁସଂଖ୍ୟକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି।

ଭାରତ ୟୁନିଟ୍‌ ଦ୍ୱାରା ସମ୍ପାଦନ କରାଯାଉଥିବା କାର୍ଯ୍ୟ ଏବଂ ପ୍ରସ୍ତାବିତ ନୂଆ ସହଯୋଗ କ୍ଷେତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମେଡବୌଲୀ ଏବଂ ତାଙ୍କର କ୍ୟାବିନେଟ ସହଯୋଗୀମାନେ ସୂଚନା ଦେଇଥିଲେ । ଭାରତୀୟ ପ୍ରତିପକ୍ଷଙ୍କ ଠାରୁ ମିଳୁଥିବା ସକାରାତ୍ମକ ପ୍ରତିକ୍ରିୟାକୁ ସେମାନେ ପ୍ରଶଂସା କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ଆଗ୍ରହ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘‘ଭାରତ ୟୁନିଟ୍‌’’ ପ୍ରତିଷ୍ଠା କରାଯିବାକୁ ପ୍ରଶଂସା କରିଥିଲେ ଏବଂ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ପାଇଁ ଏହି ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ’କୁ ସ୍ୱାଗତ କରିଥିଲେ । ଏଥିସହିତ ବିଭିନ୍ନ ଆପୋସ ହିତ କ୍ଷେତ୍ରରେ ଇଜିପ୍ଟ ସହିତ ନିବିଡ଼ ଭାବେ କାର୍ଯ୍ୟ କରିବା ନିମନ୍ତେ ଭାରତ ପ୍ରସ୍ତୁତ ଥିବା ସେ କହିଥିଲେ । ଏହି ବୈଠକରେ ବାଣିଜ୍ୟ ଓ ନିବେଶ, ଅକ୍ଷୟ ଶକ୍ତି, ସବୁଜ ହାଇଡ୍ରୋଜେନ, ଆଇଟି, ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ, ଔଷଧ ଓ ନାଗରିକ ସମ୍ପର୍କ ଆଦି କ୍ଷେତ୍ରରେ ଆପୋସ ସହଯୋଗକୁ ସୁଦୃଢ଼ କରିବାର ମାର୍ଗ ଉପରେ ଆଲୋଚନା କରାଯାଇଥିଲା। ଇଜିପ୍ଟ ପ୍ରଧାନମନ୍ତ୍ରୀ ମେଡ୍‌ବୌଲୀଙ୍କ ସମେତ ସାତ ଜଣ ଇଜିପ୍ଟ କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ