ହନୁମାନ ଚାଳିଶା ବିବାଦକୁ ନେଇ ଶିବସେନା କର୍ମୀଙ୍କ ହଙ୍ଗାମା
ମେଟ୍ରୋ ଟିଭି ଓଡିଶା (୨୩.୪.୨୦୨୨ )
ହନୁମାନ ଚାଳିଶା ବିବାଦକୁ ନେଇ ତାତି ଉଠିଛି ଶିବସେନା। ଆଜି ଶିବସେନାର ଶତାଧିକ କର୍ମୀ ଅମରାବତୀ ସାଂସଦ ନବନୀତ ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ଘର ବାହାରେ ଏକାଠି ହୋଇ ହଙ୍ଗାମା କରିଛନ୍ତି। ରାଣା ଦମ୍ପତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢ଼ିବେ ବୋଲି ଧମକ ଦେଇଥିଲେ। ଏପରି ଧମକୁ ବିରୋଧ କରି ଆଜି ଶିବସେନା କର୍ମୀମାନେ କାଉଣ୍ଟର ଆଟାକ କରିଛନ୍ତି।
ସେହିପରି ରାଣା ଦମ୍ପତିଙ୍କ ଘର ଆଗରେ ମଧ୍ୟ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପୁଲିସର ନୋଟିସ ଓ ଶିବସେନା କର୍ମୀଙ୍କ ଧମକ ସତ୍ତ୍ୱେ ନବନୀତ ରାଣା ନିଜ ଜିଦରେ ଅଟଳ ରହିଛନ୍ତି। ସେ ଉଦ୍ଧବ ଠାକରେଙ୍କ ବାସଭବନ ଆଗକୁ ଯିବେ ଓ ହନୁମାନ ଚାଳିଶା ପଢ଼ିବେ ବୋଲି କହିଛନ୍ତି।

ସେ କହିଛନ୍ତି, “ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନା କର୍ମୀଙ୍କୁ ଲଗାଇ ଆମକୁ ହଇରାଣ କରିଛନ୍ତି। ସେମାନେ ବ୍ୟାରିକେଡ୍ ଭାଙ୍ଗିବା ସହ ଘର ଭିତରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ତଥାପି ମୁଁ ଉଦ୍ଧବ ଠାକରେଙ୍କ ବାସଭବନ ‘‘ମାତ୍ରୋଶ୍ରୀ” ସାମ୍ନାକୁ ଯିବି ଓ ହନୁମାନ ଚାଳିଶା ପଢ଼ିବି।”