ସୁନାର ଲଙ୍କାରେ ଆର୍ଥିକ ସଂକଟ

ସୁନାର ଲଙ୍କାରେ ଆର୍ଥିକ ସଂକଟ

ମେଟ୍ରୋ ଓଡିଶା (୧୩ .୪.୨୦୨୨ )

ଶ୍ରୀଲଙ୍କାରେ ଘନେଇବାରେ ଲାଗିଛି ଆର୍ଥିକ ସଂକଟ । ଋଣ ବୋଝରେ ସାରା ଦେଶ ଉବୁଟୁବୁ । ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ସୃଷ୍ଟି ହୋଇଛି ହାହାକାର ସ୍ଥିତି । ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି । ସୁନାର ଲଙ୍କା ଏକରକମ ଛାରକାର ଅବସ୍ଥାକୁ ଆସିଯାଇଛି । ସାରା ଦେଶରେ ହାହାକାର ପରିସ୍ଥିତି ଦେଶ ଉପରେ ଲଦିହୋଇ ଯାଇଛି ବିଦେଶୀ ଋଣବୋଝ । ଲୋକେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିକ୍ଷୋଭ କରୁଛନ୍ତି । ଏପରିକି ଆର୍ଥିକ ସଂକଟ ଯୋଗୁଁ ବହୁ ଲୋକ ଘରର ଆସବାବପତ୍ର ଓ ସୁନାଗହଣା ବିକିବାକୁ ବାଧ୍ୟ ହେଉଛନ୍ତି । ଶ୍ରୀଲଙ୍କା ସରକାର ଅନ୍ୟ ଦେଶମାନଙ୍କରୁ ୫୧୦୦ କୋଟି ଡଲାର ଋଣ କରିଛନ୍ତି । ଏବେ ଏହି ଋଣ ଶୁଝିବା ବାଟରେ ଶ୍ରୀଲଙ୍କା ସରକାର ନାହାନ୍ତି କି ସେମାନଙ୍କ ପାଖରେ ଆବଶ୍ୟକ ସମ୍ବଳ ମଧ୍ୟ ନାହିଁ ।

ତେଣୁ ବିଦେଶୀ ଋଣ ସୁଝି ପାରିବେନି କହି ନିଜ ଦେଶକୁ ଦେବାଳିଆ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର । ଦେଶର ଅର୍ଥନୈତିକ ସ୍ଥିତିକୁ ସୁଧାରିବା ପାଇଁ ଚୀନ ସମେତ ଅନ୍ୟ ରାଷ୍ଟ୍ରରୁ ଶ୍ରୀଲଙ୍କା ସରକାର ଆଣିଛନ୍ତି ୫୧୦୦ କୋଟି ଡଲାରର ଋଣ । ବିଦେଶରୁ ଋଣ ଆଣିଥିବା ଯୋଗୁଁ ଦେଶର ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡରୁ ୱେଲଆଉଟ୍‌ ପ୍ୟାକେଜ୍‌ ମିଳିବା ସମ୍ଭବପର ହୋଇପାରୁନାହିଁ । ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ଅନ୍ୟଦେଶର ସରକାରଙ୍କୁ ଆମେ ଋଣ ସୁଝିପାରିବୁ ନାହିଁ ବୋଲି ଅବଗତ କରାଇଛନ୍ତି । ଯେଉଁ ଋଣ ବାକି ରହିଯାଇଛି ତାହା ଶୁଝିବାକୁ ଅପେକ୍ଷା କରିବାକୁ ପଡ଼ିବ କିମ୍ବା ଋଣ ବାବଦରେ ଶ୍ରୀଲଙ୍କା ମୁଦ୍ରା ଗ୍ରହଣ କରିବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।