ମେଟ୍ରୋ ଓଡିଶା (୭ .୪.୨୦୨୨) :
ରୁଷ୍ କ୍ଷୁଧାକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି ଅଭିଯୋଗ କରିଛନ୍ତି। ବୁଧବାର ଆୟର୍ଲାଣ୍ଡ ସାଂସଦରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେଇ ଜେଲେନ୍ସ୍କି କହିଛନ୍ତି, ୟୁକ୍ରେନ୍ର ଭିତ୍ତିଭୂମିକୁ ଧ୍ୱଂସ କରିବାକୁ ରୁଷ୍ ଚାହିଁଛି ଏବଂ ଜାଣିଶୁଣି ବିଶ୍ୱରେ ଖାଦ୍ୟାଭାବ ପରିସ୍ଥିତିକୁ ଉସୁକାଉଛି। ଜାତିସଂଘ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଉଛି ଯେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନ୍ର ଗହମ ଉତ୍ପାଦନ ଉପରେ ନିର୍ଭରଶୀଳ ରାଷ୍ଟ୍ରଗୁଡିକ କ୍ଷତିଗ୍ରସ୍ତ ହୋଇପାରନ୍ତି। ରୁଷ୍ ଏବେ ୟୁକ୍ରେନ୍ ଉପରେ ଆକ୍ରମଣ କରି ବିଶ୍ୱର ଅନେକ ଲୋକଙ୍କୁ କ୍ଷୁଧାର୍ତ୍ତ ରଖିବାର ଅପଚେଷ୍ଟା କରୁଛି। ବନ୍ଦର ନଗରୀ ମାରିଉପୋଲ୍କୁ ରୁଷ୍ ନିଜ ନିୟନ୍ତ୍ରଣରେ ରଖି ସେଠାରେ ଧ୍ୱଂସଲୀଳା ଚଳାଇଛି, ଯେଉଁଠି ଏବେ ମଧ୍ୟ ପ୍ରାୟ ୧ ଲକ୍ଷ ଲୋକ ବିନା ଖାଦ୍ୟ, ପାଣି, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ନପାଇ ଦୟନୀୟ ଜୀବନ ବିତାଉଛନ୍ତି।

ୟୁକ୍ରେନ୍ ଉପରେ ରୁଷ୍ ଚଳାଇଥିବା ଆକ୍ରମଣରେ ପରିସମାପ୍ତି ଘଟାଇବାକୁ ଆନ୍ତର୍ଜାତିକ ସମୁଦାୟ ପକ୍ଷରୁ ଚାପ ପକାଯିବାରେ କୌଣସି ହାଲୁକା ମନୋଭାବକୁ ସେ ସହ୍ୟ କରିପାରିବେ ନାହିଁ ବୋଲି ଜେଲେନ୍ସ୍କି କହିଛନ୍ତି। ୟୁକ୍ରେନ୍ ସହର ବୁଚାରେ ରୁଷ୍ ପକ୍ଷରୁ ଯେଉଁଭଳି ଅତ୍ୟାଚାର, ଧ୍ୱଂସର ବିଭୀଷିକା କରାଯାଇଛି ତାହାକୁ ଭାରତ ନିନ୍ଦା କରିଛି। ଜାତିସଂଘରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଟି ଏସ କ୍ରିଷ୍ଣମୂର୍ତ୍ତି କହିଛନ୍ତି, ବୁଚାରେ ନରସଂହାରକୁ ନେଇ ଆସୁଥିବା ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ଏଭଳି ନରହତ୍ୟାକୁ ଭାରତ ସମସ୍ୱରରେ ନିନ୍ଦା କରିବା ସହିତ ଏହାର ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରୁଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ଯେ କିଭ୍ ସହର ବାହାରେ ଥିବା ବୁଚାରେ ରୁଷ୍ ସୈନ୍ୟମାନେ ବହୁ ସଂଖ୍ୟାରେ ସାଧାରଣ ନାଗରିକଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବରେ ହତ୍ୟା କରିଛନ୍ତି। ଏହାକୁ ନେଇ ସାରା ବିଶ୍ୱ ନିନ୍ଦା କରିବା ସହିତ ରୁଷ୍ ବିରୋଧରେ ନୂଆ କଟକଣା ଲାଗୁ ପାଇଁ ପଥ ପରିଷ୍କାର କରିଦେଇଛି।
ଇତିମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ଆହ୍ୱାନକ୍ରମେ ବୁଧବାର ନାଟୋ ମନ୍ତ୍ରୀମାନଙ୍କର ଏକ ବୈଠକ ବ୍ରସେଲ୍ସଠାରେ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକରେ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା ଗୁରୁବାର ଯୋଗଦେଇ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନାର ତାଜା ତଥ୍ୟ ଉପସ୍ଥାପନ କରିବେ ବୋଲି ଜଣାଯାଇଛି। ଏଭଳି ପରିସ୍ଥିତିରେ ରୁଷ୍ ସୈନ୍ୟମାନେ ମାରିଉପୋଲ୍ ସହର ଉପରେ ଜୋର୍ଦାର ଆକ୍ରମଣ ଜାରି ରଖିଛନ୍ତି। ସେଠାରେ ମାନବୀୟ ପରିସ୍ଥିତି ଦିନକୁ ଦିନ ଖରାପ ଆଡକୁ ଗତିକରୁଛି। ଅଟକି ରହିଥିବା ଲୋକଙ୍କ ନିକଟରେ ଖାଦ୍ୟ, ପାଣି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଥିବା ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି, ୟୁକ୍ରେନ୍ ଯୁଦ୍ଧ ଆଉ କିଛିକାଳ ଲାଗି ରହିବା ଆଶା କରାଯାଉଛି। ରାଜଧାନୀ କିଭ୍ ଆଖପାଖରୁ ରୁଷ୍ ସୈନ୍ୟମାନେ ପଛକୁ ହଟିଥିଲେ ମଧ୍ୟ ଆହୁରି ଅନେକ ସୈନ୍ୟ ସେଠାରେ ରହିଛନ୍ତି। ଯୁଦ୍ଧ ଶେଷ ହେବାପରେ କିଭ୍ର ସୁରକ୍ଷା ଗ୍ୟାରେଣ୍ଟିକୁ ନେଇ ଆମେରିକା ଏବଂ ଏହାର ମିତ୍ରରାଷ୍ଟ୍ରଗୁଡିକ ବରାବର ୟୁକ୍ରେନ ଅଧିକାରୀଙ୍କ ସହିତ ଆଲୋଚନା କରୁଥିବା ବ୍ଳିଙ୍କେନ କହିଛନ୍ତି।
ଆମେରିକା ସରକାର ପୁଟିନଙ୍କ ଦୁଇ ଝିଅଙ୍କ ବିରୋଧରେ କଟକଣା ଲାଗୁ କରିଛନ୍ତି। ୟୁରୋପୀୟ ରାଷ୍ଟ୍ରସଂଘ ମଧ୍ୟ ଅନୁରୂପ କଟକଣା ଲାଗୁ ସମ୍ପର୍କରେ ବିଚାର କରୁଥିବା ଜଣାଯାଇଛି। ପୁଟିନଙ୍କ ପୂର୍ବ ପତ୍ନୀ ଲ୍ୟୁଡମିଲା ପୁଟିନାଙ୍କଠାରୁ ଦୁଇ ଝିଅ ଅଛନ୍ତି। ସେମାନେ ୩୦ ବର୍ଷର ବୈବାହିକ ସମ୍ପର୍କରେ ୨୦୧୩ରେ ପୂର୍ଣ୍ଣଚ୍ଛେଦ ପକାଇବା ବିଷୟ ଘୋଷଣା କରିଥିଲେ। କ୍ରେମଲିନ ପକ୍ଷର ଏହାର ମୁଖପାତ୍ର ଡିମିତ୍ରି ପେସ୍କୋଭ ବୁଧବାର କହିଛନ୍ତି ଯେ ୟୁକ୍ରେନ୍ ସହିତ ଶାନ୍ତି ଆଲୋଚନା ପାଇଁ ଉଦ୍ୟମ ଜାରି ରହିଛି। ଆଗକୁ ଦୀର୍ଘ ପଥ ଯିବାକୁ ଅଛି ବୋଲି ସେ କହିଛନ୍ତି।