ଭେନେଜୁଏଲାରେ ଭୁଶୁଡ଼ିଲା ବେଆଇନ ସୁନା ଖଣି
ଦକ୍ଷିଣ ଆମେରିକାର ମହାଦ୍ୱୀପ ସ୍ଥିତ ଭେନେଜୁଏଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧ୍ୟ ଭେନେଜୁଏଲାରେ ବେଆଇନ୍ ସୁନା ଖଣି ହଠାତ ଭୁଶୁଡ଼ି ପଡ଼ିଛି । ଫଳରେ ୨୦ରୁ ଉର୍ଦ୍ଧ୍ୱ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏବେବି କିଛି ଶ୍ରମିକ ଖଣି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ସୂଚନାରୁ ପ୍ରକାଶ ମଙ୍ଗଳବାର ବୋଲେିୱର ରାଜ୍ୟରେ ‘ବୁଲ୍ଲା ଲୋକା’ ଖଣିରେ କାନ୍ଥ ଭୁଶୁଡ଼ିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ସେହି ସମୟରେ ଖଣିରେ ପ୍ରାୟ ୨୦୦ ଶ୍ରମିକ କାର୍ଯ୍ୟ କରୁଥିଲେ । ଏହି ଖଣି ଏକ ଦୁର୍ଗମ ଅଂଚଳରେ ସ୍ଥିତ ଯେଉଁଠାରେ ପହଞ୍ଚିବା ପାଇଁ ଡଙ୍ଗା ଯାତ୍ରା କରିବାକୁ ପଡ଼ିଥାଏ । ଏଥିପାଇଁ ପାଖାପାଖି ୧ ଘଣ୍ଟା ସମୟ ଲାଗିଥାଏ । ତେବେ ସମସ୍ତ ଆହତମାନଙ୍କୁ ବୋଲିୱର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମସ୍ତ ଆହତମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବଂ ଶବ ଗୁଡ଼ିକୁ ବାହାର କରିବା ପାଇଁ ବିମାନ ସେବା ଯୋଗାଇବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି ।୨୦୧୬ରେ ଭେନେଜୁଏଲା ସରକାର ଦେଶର ମଧ୍ୟ ଭାଗରେ ଏକ ବିଶାଳ ଖଣି ବିକାଶ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ସେବେ ଠାରୁ ସୁନା, ହୀରା, ତମ୍ବା ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ପାଇଁ ସେହି ଜୋନ୍ ଭିତରେ ଏବଂ ବାହାରେ ଖଣି କାର୍ଯ୍ୟ ବୃଦ୍ଧି ପାଇଥିଲା । କିନ୍ତୁ ଭେନେଜୁଏଲା ସରକାରଙ୍କ ବିରୋଧରେ ଅନେକ ଖଣି ବେଆଇନ୍ ଭାବେ କାର୍ଯ୍ୟ କରିଥାନ୍ତି ।