ଭଗବଦ୍ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର୍‌

ଅଷ୍ଟ୍ରେଲିଆ ସଂସଦରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଅଷ୍ଟ୍ରେଲିଆର ଜଣେ ସନେଟର ଭଗବଦ୍ ଗୀତା ଉପରେ ହାତ ରଖି ଶପଥ ଗ୍ରହଣ କରିଥିଲେ । ସେଠାରେ ଉପସ୍ଥିତ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଅଷ୍ଟ୍ରେଲିଆ ସଂସଦରେ ଏହା ପ୍ରଥମ ଘଟଣା । ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଥର ପାଇଁ ଗୀତା ଛୁଇଁ ଶପଥ ନେଇଥିଲେ ବାରିଷ୍ଟର ବରୁଣ ଘୋଷ । ପଶ୍ଚିମ ଅଷ୍ଟ୍ରେଲିଆର ବରୁଣ ଘୋଷଙ୍କୁ ଅଷ୍ଟ୍ରେଲିଆର ନୂତନ ସିନେଟର ଭାବେ ନିଯୁକ୍ତ କରାଯାଇଛି । ଏଥି ସହ ବିଧାନ ପରିଷଦ ତାଙ୍କୁ ସଂଘୀୟ ସଂସଦର ସିନେଟରେ ଅଷ୍ଟ୍ରେଲିଆ ରାଜ୍ୟ ପ୍ରତିନିଧିତ୍ୱ କରିବାକୁ ମନୋନିତ କରିଛି ।ଅଷ୍ଟ୍ରଲିଆର ବୈଦେଶିକ ମନ୍ତ୍ରୀ ପେନୀ ଓ୍ୱାଙ୍ଗ, ବରୁଣ ଘୋଷଙ୍କୁ ସ୍ୱାଗତ କରି ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, ଆପଣଙ୍କୁ ଲେବର ସିନେଟ ଦଳକୁ ସ୍ୱାଗତ। ଆପଣ ଲେବର ସିନେଟ୍‌ ଟିମ୍‌ରେ ଅଛନ୍ତି। ମୁଁ ଜାଣିଛି ଯେ ସିନେଟ୍‌ ବରୁଣ ଘୋଷ ନିଜ ସମ୍ପ୍ରଦାୟ ଓ ପଶ୍ଚିମ ଅଷ୍ଟ୍ରେଲିଆର ଲୋକଙ୍କ ପାଇଁ ପ୍ରେରଣାଦାୟୀ ହେବେ। ତାଙ୍କ ପାଇଁ ଦୃଢ଼ ସ୍ୱର ଉଠାଇବେ। ସେପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥନୀ ଅଲବାନିଜ ତାଙ୍କୁ ଶୁଭକାମନା ଜଣାଇ ସ୍ୱାଗତ କରିଛନ୍ତି। ପରେ ଅଷ୍ଟ୍ରେଲିଆର ଲେବର ପାର୍ଟିରେ ଯୋଗ ଦେଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ବରୁଣ। କିଛି ବର୍ଷ ଧରି ସେ ଜଣେ ବାରିଷ୍ଟର ଭାବରେ କାମ କରି ପଶ୍ଚିମ ଅଷ୍ଟ୍ରେଲିଆରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱବ୍ୟାଙ୍କ ସହିତ ଆଇନଗତ ମାମଲା ପରିଚାଳନା କରିଥିଲେ। ୨୦୧୯ ଫେଡେରାଲ ନିର୍ବାଚନରେ ବରୁଣ ପଶ୍ଚିମ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିୟ ଲେବର ପାର୍ଟି ସିନେଟ ଟିକେଟରେ ପଞ୍ଚମ ସ୍ଥାନ ପାଇଥିଲେ।