ବ୍ରାଜିଲରେ ବିମାନ ଦୁର୍ଘଟଣା
ବ୍ରାଜିଲରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି । ଏକ ବିମାନ କ୍ରାଶରେ ୬୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟର୍ବୋପ୍ରପ୍ ପ୍ଲେନଟି ଶୁକ୍ରବାର ଦିନ ବ୍ରାଜିଲର ସାଓ ପାଓଲୋ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଅଧିକାରୀମାନେ ଏ ବାବଦରେ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ସ୍ପଷ୍ଟ ହୋଇଛି ।ଖବର ମୁତାବକ, ବ୍ରାଜିଲର ସାଓ ପାଓଲୋ ନିକଟରେ ୬୨ ଜଣ ଲୋକ ଏକ କ୍ଷେତ୍ରୀୟ ଟର୍ବୋପ୍ରପ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ବିମାନରେ ଯାତ୍ରା କରୁଥିବା କୌଣସି ଯାତ୍ରୀ ଜୀବିତ ନଥିବା କୁହାଯାଇଛି । ଏହି ଦୁର୍ଘଟଣାରେ ସ୍ଥାନୀୟ କାଣ୍ଡୋମିନିୟମ ପରିସରରେ ଏକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ତେବେ ଉକ୍ତ ଘରର କୌଣସି ସଦସ୍ୟ ଆହତ ହେବା ନେଇ କୌଣସି ସୂଚନା ମିଳିନାହିଁ । ଦୁର୍ଘଟଣା ସ୍ଥଳକୁ ୭ଟି ଟିମଙ୍କୁ ପଠାଯାଇଛି । ବିମାନରେ ୫୮ ଜଣ ଯାତ୍ରୀ ଓ ୪ ଜଣ ଚାଳକ ଦଳର ସଦସ୍ୟ ରହିଥିଲେ ।