ମେଟ୍ରୋଟିଭିଓଡିଶା(୬.୩.୨୦୨୨)
ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଗୋଟିଏ ପରେ ଗୋଟିଏ ସହରକୁ ଘେରି କି ରହିଛନ୍ତି ରୁଷ ସେନା। ଏହା ମଧ୍ୟରେ ନିଜ ଦେଶର ଅସ୍ଥିତ୍ଵ ପାଇଁ ଲଢୁଥିବା ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଭାବୁକ ଅପିଲ୍ କରିଛନ୍ତି। ସେ ଆମେରିକାକୁ ଆହୁରି ଲଢୁଆ ବିମାନ ପଠାଇବା ଏବଂ ରୁଷଠୁ ତେଲ ଆମଦାନୀ କମ କରିବାକୁ ଅନୁରୋଧ କରିଛନ୍ତି। ଯାହା ଫଳରେ ତାଙ୍କ ଦେଶ ରୁଷ ସୈନ୍ୟ କାର୍ଯ୍ୟାନୁଷ୍ଠାନର ମୁକାବିଲା କରି ପାରିବ। ଜେଲେନସ୍କି ଶନିବାର ଆମେରିକା ସାଂସଦଙ୍କୁ ବ୍ୟକ୍ତିଗତ ଭିଡିଓ କଲ୍ କରିଥିଲେ। ସେ କହିଛନ୍ତି, ବୋଧହୁଏ ଆପଣ ମୋତେ ଶେଷ ଥର ଜୀବନ୍ତ ଦେଖୁଛନ୍ତି।

ରାଷ୍ଟ୍ରପତି ଜେଲେନସ୍କି ବର୍ତ୍ତମାନ ରାଜଧାନୀ କିଭରେ ଅଛନ୍ତି। କିଭର ଉତ୍ତର ଦିଗରେ ରୁଷ ସେନା ଘନ ଘନ ଆକ୍ରମଣ କରୁଛନ୍ତି। ଜେଲେନସ୍କି କହିଛନ୍ତି, ୟୁକ୍ରେନକୁ ନିଜର ଆକାଶ ମାର୍ଗ ସୀମାର ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ନାଟୋ ଦ୍ଵାରା ଅଧିକ ବିମାନ ପଠାଯିବାର ଆବଶ୍ୟକତା ଥିବା ସେ କହିଛନ୍ତି।
ଜେଲେନସ୍କି ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଆମେରିକାର ୩୦୦ ସାଂସଦ ଏବଂ ତାଙ୍କ କର୍ମଚାରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏହି ଆଲୋଚନା ସେହି ସମୟରେ ହୋଇଛି, ଯେତେବେଳେ ୟୁକ୍ରେନ ସହର ଉପରେ ରୁଷର ମିସାଇଲ ମାଡ ଏବଂ ଗୁଳିଗୋଳା ବର୍ଷଣ ଜାରି ରହିଛି। ଅନେକ ସହରକୁ ରୁଷ ସେନା ଘେରି ସାରିଥିବା ବେଳେ ଅନ୍ୟପଟେ ୧୪ ଲକ୍ଷ ୟୁକ୍ରେନ ନାଗରିକ ପଡୋଶୀ ଦେଶରେ ଶରଣ ନେଇଛନ୍ତି।