ପାକିସ୍ତାନକୁ ତାଲିବାନର ଧମକ

ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଏବେ ଦ୍ବିପାକ୍ଷିକ ସଂପର୍କ ଅତି ତିକ୍ତ ହୋଇଉଠିଛି। ପାକିସ୍ତାନ ଆଫ୍‌ଗାନ ଶରଣାର୍ଥୀଙ୍କୁ ବଳପୂର୍ବକ ପ୍ରତ୍ୟର୍ପଣ କରିବା ଘଟଣାକୁ ନେଇ କ୍ଷୁବ୍ଧ ତାଲିବାନ ପାକିସ୍ତାନରେ ବଡ଼ ବିଭାଜନ ପାଇଁ ଚେତାବନୀ ଦେଇଛି। ପାକିସ୍ତାନ ୧୯୭୧ ଭଳି ବିଭାଜନର ସମ୍ମୁଖୀନ ହେବ ବୋଲି ତାଲିବାନର ଉପ ବିଦେଶ ମନ୍ତ୍ରୀ ମହମ୍ମଦ ଅବ୍ବାସ ଷ୍ଟାନିକ୍‌ଜାଇ ଚେତାଇ ଦେଇଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶ ଯେଭଳି ୧୯୭୧ରେ ଜନ୍ମ ନେଇଥି‌ଲା, ପାକିସ୍ତାନ ଆଗକୁ ସେଭଳି ବିଭାଜନ ସ୍ଥିତିର ସମ୍ମୁଖୀନ ହେବ।ତାଲିବାନକୁ ଏକଦା ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ନେଇଥିବା ପାକିସ୍ତାନକୁ ଏଭଳି ଚେତାବନୀ ହଇଚଇ ସୃଷ୍ଟି କରିଛି।। ଏକଦା ଇସଲାମାବାଦ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ତାଲିବାନ ଏବେ ପାକିସ୍ତାନର ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥିବାରୁ ସେନାର ଚିନ୍ତା ବଢ଼ିଯାଇଛି। ଆଫଗାନ ଶରଣାର୍ଥୀଙ୍କୁ ରାତାରାତି ବଳପୂର୍ବକ ପ୍ରତ୍ୟର୍ପଣ ନେଇ ଆଫଗାନିସ୍ତାନ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଏବେ ପାକିସ୍ତାନ-ଆଫିଗାନିସ୍ତାନ ସୀମାରେ ମଧ୍ୟ ଉତ୍ତେଜନା ବଢ଼ିଛି। ସୀମା ଚେକ୍‌ପୋଷ୍ଟ୍‌ଗୁଡ଼ିକରେ ପାକିସ୍ତାନ ସୁରକ୍ଷା କଡ଼ାକଡ଼ି କରିଛି ଏବଂ ଆଫ୍‌ଗାନ ଆତଙ୍କୀ ସଂଗଠନଗୁଡ଼ିକୁ ଟାର୍ଗେଟ୍‌ କରି ଅପରେସନ ଜାରି ରଖିଛି।