ମେଟ୍ରୋ ଟିଭି ଓଡିଶା (୨୧ .୩ . ୨୦୨୨) :
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହିତ ଯୁଦ୍ଧ ବନ୍ଦ ସମ୍ପର୍କରେ ଆଲୋଚନା କରିବାକୁ ସେ ମୂଳରୁ ପ୍ରସ୍ତାବ ଦେଇଆସୁଛନ୍ତି। ତାଙ୍କ ସହିତ ସିଧାସଳଖ ଗୋଟିଏ ଟେବୁଲରେ ବସି ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ସେମାନେ ଏଥିରେ ଯଦି ବିଫଳ ହୁଅନ୍ତି ତେବେ ତୃତୀୟ ବିଶ୍ୱ ଯୁଦ୍ଧ ଅବଶ୍ୟମ୍ଭାବୀ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି କହିଛନ୍ତି। ଜେଲେନ୍ସ୍କି କହିଛନ୍ତି ଯେ ଗତ ଦୁଇବର୍ଷ ହେଲା ସେ ପୁଟିନ୍ଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ; କିନ୍ତୁ ପୁଟିନ୍ ତାଙ୍କ ଦେଶ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଆଲୋଚନା ବିନା ଏହି ଯୁଦ୍ଧର ପରିସମାପ୍ତି ଅସମ୍ଭବ ବୋଲି ସେ କହିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ସେମାନେ ସମସ୍ତ କୌଶଳ, ସୁଯୋଗକୁ ପୁଟିନ୍ଙ୍କ ସହିତ ଆଲୋଚନା ନିମନ୍ତେ ଉପଯୋଗ କରିବାକୁ ପ୍ରଚେଷ୍ଟା କରିଆସୁଛନ୍ତି। ଏହି ସମସ୍ତ ପ୍ରୟାସ ଯଦି ବିଫଳ ହୁଏ ତେବେ ଏହା ତୃତୀୟ ବିଶ୍ୱ ଯୁଦ୍ଧ ବୋଲି ବୁଝିବାକୁ ହେବ।

ଜାତିସଂଘ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୧ କୋଟି ୟୁକ୍ରେନ ନାଗରିକ ସେମାନଙ୍କ ଘର ଛାଡିଲେଣି। ରୁଷ୍ ପକ୍ଷରୁ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ବୃଦ୍ଧିପାଇବା ପରେ ସେମାନେ ଏବେ ପ୍ରତିଦିନ ଘର ଛାଡୁଛନ୍ତି। ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ୟୁରୋପରେ ସର୍ବବୃହତ ଶରଣାର୍ଥୀ ସମସ୍ୟା ସୃଷ୍ଟି କରିଛି। ଇତିମଧ୍ୟର ପୋପ୍ ଫ୍ରାନ୍ସିସ୍ ଏହି ଯୁଦ୍ଧରେ ପରିସମାପ୍ତି ଘଟାଇବାକୁ ଉଭୟ ପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ମାନବିକତା ପ୍ରତି ଏକ ନିଷ୍ଠୁର କାର୍ଯ୍ୟ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ରବିବାର ରାତିରେ ଇସ୍ରାଏଲ ସଂସଦରେ ଉଦ୍ବୋଧନ ଦେଇଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ରାତି ପ୍ରାୟ ୯.୩୦ରେ ଉଦ୍ବୋଧନ ଦେଇ ଜେଲେନ୍ସ୍କି ଇସ୍ରାଏଲର ସମର୍ଥନ ଲୋଡିଛନ୍ତି।

ୟୁକ୍ରେନ୍ ଉପରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ମାଡ କରାଯାଉଥିବା ବିଷୟକୁ ରୁଷ୍ ସ୍ୱୀକାର କରିଛି। ରୁଷ୍ ପକ୍ଷରୁ କୁହାଯାଇଛି ଯେ ଏହା ୟୁକ୍ରେନ ରାଜଧାନୀ କିଭ୍ ଉପରେ କ୍ଷେପଣାସ୍ତ୍ର ମାଡ କରିଛି। କୃଷ୍ଣ ସାଗରରେ ଥିବା ରୁଷ୍ର ଯୁଦ୍ଧ ଜାହାଜରୁ ଏହି ହାଇପରସୋନିକ କ୍ଷେପଣାସ୍ତ୍ରରେ ଆକ୍ରମଣ କରାଯାଉଛି। ଏଥିସହିତ ରୁଷ୍ କୃଷ୍ଣ ସାଗରରୁ ୟୁକ୍ରେନ୍ ଉପରକୁ କାଲିବର କ୍ଷେପଣାସ୍ତ୍ର ମାଡ କରୁଛି। ୟୁକ୍ରେନ୍ର ସାମରିକ ସ୍ଥଳଗୁଡିକ ସମେତ ଜନବସତି ଉପରେ ଘନ ଘନ ରକେଟ ଓ ବୋମା ମାଡ କରୁଥିବା ରୁଷୀୟ ବିମାନଗୁଡିକ ମାରିଉପୋଲ୍ରେ ୪୦୦ ସାଧାରଣ ନାଗରିକ ଆଶ୍ରୟ ନେଇଥିବା ଏକ ଆର୍ଟ ସ୍କୁଲ ଉପରେ ବୋମା ମାଡ କରିଛି। ତେବେ ଏଥିରେ ହୋଇଥିବା ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।

ଇତିମଧ୍ୟରେ ପୋଲାଣ୍ଡ ସରକାର ତାଙ୍କ ଦେଶକୁ ପଳାଇ ଯାଉଥିବା ୟୁକ୍ରେନ ନାଗରିକଙ୍କୁ ଶରଣାର୍ଥୀ ପରିଚୟପତ୍ର ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ୟୁକ୍ରେନ ନାଗରିକମାନେ ଉକ୍ତ ‘ପେସେଲ୍’ ପରିଚୟପତ୍ର ବଳରେ ପୋଲାଣ୍ଡରେ କାର୍ଯ୍ୟ କରିପାରିବେ, ବାସ କରିବେ, ସେମାନଙ୍କ ପିଲା ସ୍କୁଲ ଯାଇପାରିବେ ଏବଂ ସେମାନେ ସ୍ୱାସ୍ଥ୍ୟସେବା ଏବଂ ସାମାଜିକ କଲ୍ୟାଣମୂଳକ ଯୋଜନାର ଫାଇଦା ପାଇପାରିବେ। ଏହା ୧୮ ମାସ ପାଇଁ ବଳବତ୍ତର ରହିବ। ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଲକ୍ଷ୍ୟକରି ପୋଲାଣ୍ଡ ସରକାର ନିଷ୍ପତ୍ତି ନେବେ। ଯୁଦ୍ଧରେ ଅବସାନ ଘଟାଇବାକୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ସଫଳ ହେବାନେଇ ଆଶା ପ୍ରକାଶ କରିଛନ୍ତି ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭ୍ଲଟ କାଭୁସୋଗ୍ଲୁ।