ଆମେରିକା ରାଜନୀତି
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୩୦୫ ଆସନରେ ଜିତିବ। ଆମେରିକୀୟ ରାଜନୀତି ବିଜ୍ଞାନୀ ଆୟନ ବ୍ରେମ୍ମର ଏନ୍ଡିଟିଭିକୁ ଏକ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି। ୟୁରେସିଆ ଗ୍ରୁପ୍ ପ୍ରତିଷ୍ଠାତା ବ୍ରେମ୍ମର କହିଛନ୍ତି, ବୈଶ୍ବିକ ରାଜନୈତିକ ପରିପ୍ରେକ୍ଷୀରେ ଦେଖିଲେ ଭାରତରେ ଲୋକସଭା ନିର୍ବାଚନ ସ୍ଥିର ଓ ଶୃଙ୍ଖଳିତ ଲାଗୁଛି। ଅନ୍ୟଥା ଆମେରିକା ନିର୍ବାଚନ ସହ ବାକି ସବୁକିଛିକୁ ନେଇ ସମସ୍ୟା ଉପୁଜୁଛି। ସେ କହିଛନ୍ତି, ବୈଶ୍ବିକ ରାଜନୀତିରେ ଏବେ ନିର୍ବାଚନଗୁଡ଼ିକ ଚର୍ଚ୍ଚାରେ ରହିଥିବା ବେଳେ ଯୁଦ୍ଧ ଏବଂ ଆମେରିକା-ଚୀନ୍ ସମ୍ପର୍କ ମଧ୍ୟ ବଡ଼ ପ୍ରସଙ୍ଗ ଭାବେ ରହିଛି।ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ସେ କ’ଣ ଆକଳନ କରିଛନ୍ତି ବୋଲି ପଚାରିବାରୁ ବ୍ରେମ୍ମର କହିଛନ୍ତି, ୟୁରେସିଆ ଗ୍ରୁପ୍ ଏହା ଆକଳନ କରିଛି ଯେ ବିଜେପି ପ୍ରାୟ ୨୯୫-୩୧୫ ଆସନରେ ଜିତିବ ଏବଂ ଅତିକମ୍ରେ ୩୦୫ ଆସନ ପାଇବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ତୃତୀୟ ଥର ପାଇଁ ସରକାର ଗଠନ କରିବ। ବ୍ରେମ୍ମର ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। ଭାରତରେ ମୁକ୍ତ ଏବଂ ଅବାଧ ନିର୍ବାଚନ ଚାଲିଛି ବୋଲି ସେ କହିଛନ୍ତି।