ଆଜି ପୁଣି ଶାନ୍ତି କଥାବାର୍ତ୍ତା ; ୟୁକ୍ରେନକୁ ଇଟାଲୀର ସମର୍ଥନ

ଆଜି ପୁଣି ଶାନ୍ତି କଥାବାର୍ତ୍ତା ; ୟୁକ୍ରେନକୁ ଇଟାଲୀର ସମର୍ଥନ

ମେଟ୍ରୋଟିଭିଓଡିଶା(୨୯.୩.୨୦୨୨):

ରୁଷ ଓ ୟୁକ୍ରେନ ମଧ୍ୟରେ ମାସାଧିକ କାଳ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ଲାଗି ମଙ୍ଗଳବାର ଦୁଇଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହେବ। ରୁଷ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି ଯେ ତୁର୍କୀରେ ଏହି ଶାନ୍ତି କଥାବାର୍ତ୍ତା ହେବ। ଶାନ୍ତି କଥାବାର୍ତ୍ତାର ଆୟୋଜନ ନିମନ୍ତେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ତୁର୍କୀ ରାଷ୍ଟ୍ରପତି ତାୟିପ ଏର୍ଡୋଗାନଙ୍କ ସହିତ ରବିବାର ଟେଲିଫୋନ ଯୋଗ କଥା ହୋଇଥିଲେ। ପୁତିନଙ୍କ ଅନୁରୋଧକ୍ରମେ ଶାନ୍ତି କଥାବାର୍ତ୍ତା ଆୟୋଜନ ନିମନ୍ତେ ତୁର୍କୀ ସମ୍ମତି ପ୍ରକାଶ କରିଛି। ଅନ୍ୟପଟେ ତୁର୍କୀ ଆଶା କରିଛି ଯେ ଏହି ଶାନ୍ତି କଥାବାର୍ତ୍ତା ଅସ୍ତ୍ରବିରତି ଆଣିବାରେ ସଫଳ ହେବ। କଥାବାର୍ତ୍ତା ନିମନ୍ତେ ଉଭୟ ପକ୍ଷର ମଧ୍ୟସ୍ଥମାନେ ତୁର୍କୀରେ ପହଞ୍ଚିସାରିଛନ୍ତି।

ଯଥା ସମ୍ଭବ ଶୀଘ୍ର କଥାବାର୍ତ୍ତା ଆରମ୍ଭ କରାଯିବ ବୋଲି ତୁର୍କୀ କହିଛି। ଶାନ୍ତି କଥାବାର୍ତ୍ତାର ବିଷୟ ବସ୍ତୁ ସମ୍ପର୍କରେ ପୁତିନଙ୍କ କାର୍ଯ୍ୟାଳୟ ପକ୍ଷରୁ ସବିଶେଷ ତଥ୍ୟ ଦେବାକୁ ମନା କରାଯାଇଛି। ଅନ୍ୟପଟେ ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ଅସ୍ତ୍ରବିରତି ନିମନ୍ତେ ପୁତିନ ଓ ଜେଲେନସ୍କିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳପ ହେବା ଜରୁରୀ। ଗୋଟିଏ ପଟେ ରୁଷ୍‌ ଶାନ୍ତି କଥାବାର୍ତ୍ତା ଚଳାଇଥିବାବେଳେ ଅନ୍ୟପଟେ ୟୁକ୍ରେନ ଦଖଲ ଲକ୍ଷ୍ୟରୁ ବିଚ୍ୟୁତ ହେଉ ନାହିଁ। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକସାଣ୍ଡର ମୋଟୁଜାୟନକି କହିଛନ୍ତି ଯେ ରାଜଧାନୀ କିଭ୍‌କୁ ଦଖଲ କରିବା ଲାଗି ରୁଷ୍ ଏହାର ସୈନ୍ୟ ରଚନା ବଳବତ୍ତର ରଖିଛି। କାରଣ ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍‌ ସେନାର ଗତିବିଧିରେ କୌଣସି ପରିବର୍ତ୍ତନ ହୋଇ ନଥିବା ବ୍ରିଟେନ ସାମରିକ ଗୁଇନ୍ଦା ଏଜେନ୍ସି କହିଛି।
ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ରାଷ୍ଟ୍ରପତି ପୁତିନଙ୍କ ଶାସନର ଅନ୍ତ ଘଟାଇବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ସୋମବାର ବାଇଡେନଙ୍କ ଏପରି ମନ୍ତବ୍ୟକୁ ନେଇ କ୍ରେମଲିନ ବିଚଳିତ ହୋଇପଡିଛି। ଆମେରିକାବାସୀଙ୍କୁ ବାଇଡେନ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ଯୁଦ୍ଧ ପୁତିନଙ୍କ ୨୨ବର୍ଷ ଶାସନର ଅନ୍ତ ଘଟାଇବ। ବାଇଡେନଙ୍କ ଏପରି ଚେତାବନୀକୁ ବିପଜ୍ଜନକ ବୋଲି କହିଛି ରୁଷ୍‌।